ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ପବିତ୍ର ସହିଦ ଦିବସ ଅବସରରେ ବରଗଡ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବରଗଡ଼ – ସମ୍ବଲପୁର ୱେ ଅତାବିରା ଅଗ୍ରସେନ ଭବନଠାରେ ରାଜ୍ ମିଡିଆ ଲକ୍ଷ୍ମୀ ଟେଲିଭିଜନ ନେଟୱର୍କ ଉଦ୍ୟମରେ ଭରଷା ପରିବାର ଓ ଭିମସାର ବୁର୍ଲା ରକ୍ତଭଣ୍ଡାରର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଏବଂ ମା’ ସମଲେଇଙ୍କ ଫଟୋଚିତ୍ରରେ ଧୂପ ଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସୁମଧୁର ଭଜନ ସଂଗୀତ ଗାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ରାଜମିଡିଆର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ନବୀନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ରାଜ ମିଡିଆର ନିର୍ଦ୍ଦେଶକ ରାଜେଶ କୁମାର ମହାନ୍ତି, ସରୋଲା ପାଢି ସମାଜ ସେବୀ ତଥା ବିଦ୍ରୋହି କବି କୈଲାସ ମହାରଣା, ସମାଜସେବୀ ତଥା ଭରଷା ପରିବାରରୁ ନିହାଲ ସିଂ, ମାମିନା ଖାତୁନ, ଚୁମକି ପାଲ, ଲୋକସାହିତ୍ୟ ଗବେଷକ ତଥା ଅଧ୍ୟାପକ ଡ.ଅଜିତ କୁମାର ନାଥ, ଜେସିଆଇରୁ ସମାଜସେବୀ ଅମୃତ କୁମାର ବାରିକ, ସମାଜସେବୀ ଡକ୍ଟର ସୁଷମା ସାହୁ, ସଙ୍ଗୀତ ଶିକ୍ଷକ ଶଙ୍କର ବାରିକ, ଗିତିକାର ମନୋଜ ଭୋଇ, ସମାଜସେବୀ ବୀଣାପାଣି ପଣ୍ଡା, ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ । ସହିଦ ପରିବାରମାନଙ୍କୁ ଅର୍ପିତ ଏହି ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ଡକ୍ଟର ଅଜିତ କୁମାର ନାଥ । ଏହି ଅବସରରେ ନିର୍ଦ୍ଧାରିତ ଅନୁଯାୟୀ ତିନି ଜଣଙ୍କୁ ଯଥା ଯବାନ, କିଷାନ, ବିଦ୍ୱାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କିଷାନ ବୃଷଭାନୁ ସାହୁ, ଯବାନ ଭୁବନ ବାରିକ୍ ଓ ବିଦ୍ୱାନ ଭୋଜରାଜ ସ୍ୱାଇଁଙ୍କୁ ଉପଢୌକନ ଏବଂ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ ମିଡିଆର ନିର୍ଦେଶକ ରାଜେଶ ମହାନ୍ତି ଏବଂ ସଭାପତି ନବୀନ ଦାଶଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ ଭୋଇ ଏବଂ ଶଙ୍କର ବାରିକ ପରିଚାଳନା କରିଥିଲେ ଯେଉଁଥିରେ ଜିତେନ୍ଦ୍ରୀୟ ବଢେଇ ଏବଂ ମୁଗ୍ଧା ଦାଶ ସୁମଧୁର ଭଜନ ସଂଗୀତ ଗାନ କରି କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ ଏବଂ ସଚେତନତା କାର୍ଯ୍ୟକ୍ରମ ଏବଂ ରକ୍ତଦାନ ଶିବିରକୁ ଅମୃତ ବାରିକଙ୍କ ସହ ଭିମସାର ବୁର୍ଲା ରକ୍ତଭଣ୍ଡାରର ସଦସ୍ୟମାନେ ସୂଚାରୁ ରୂପେ ପରିଚାଳନା କରିବା ସହ ଏଥିରେ ସ୍ୱେଚ୍ଛାକୃତ ଭାବରେ ୩୬ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶେଷରେ ଡକ୍ଟର ଅଜିତ କୁମାର ନାଥ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.