ମନ୍ଦିର ପ୍ରତିଷ୍ଠା ସହ ରାବଣ ଦରବାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ସହ ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଯଜ୍ଞ ମଣ୍ଡପରେ ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥୀ ହୋତା, ଶଚିପତି ହୋତା, ମଣ୍ଟୁ ମହାପାତ୍ରଙ୍କ ପୂଜାପାଠରେ ସୂର୍ଯ୍ୟପୂଜା, ପାର୍ଶ୍ବ ଦେବେଦେବୀ ପୂଜା, କଳସ ସ୍ଥାପନ, ଶାଳା ପ୍ରତିଷ୍ଠା, ପ୍ରଥମ ଦିବସ ବିହିତ ପୂଜାପାଠ କରାଯାଇଥିଲା । ପଣ୍ଡିତ ଅମୃତଲାଲ ହୋତାଙ୍କ ପୂଜାପାଠରେ ଅଷ୍ଟପ୍ରହରୀ ନାମଯଜ୍ଞ ସମାପନ ହେଲା । ଏହି ନାମଯଜ୍ଞରେ ଅଞ୍ଚଳର ସମସ୍ତ କିର୍ତ୍ତନ୍ୟଦଳ ସହ ଗୁଡେସିରା, ପହଣ୍ଡା, ବରିକେଲା, ସାନକୁଞ୍ଜାରୀ, ରେଙ୍ଗାଲି କିର୍ତ୍ତନ୍ୟ ଦଳ ଯୋଗଦେଇ ନାମ ସଂକିର୍ତ୍ତନ୍ୟ ଗାନ କରିଥିଲେ । ନାମଯଜ୍ଞ ସମାପନ ପରେ ନିମନ୍ତ୍ରିତ ସଂକିର୍ତ୍ତନ୍ୟ ଦଳ ମାନଙ୍କ ଦ୍ୱାରା ବୈଠକି ଅନୁଷ୍ଠିତ ହୋଇଥିଲା । ରାବଣ ଦରବାର ଉଦ୍‌ଘାଟନ ଉତ୍ସବରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ମେଲଛାମୁଣ୍ଡା ଥାନାଧିକାରୀ ସୁବାଷ ଚନ୍ଦ୍ର ରାଜଗୁରୁ, ସମ୍ମାନିତ ଅତିଥି ମେଲଛାମୁଣ୍ଡା ବିଦ୍ୟୁତ ବିଭାଗ ଅଧିକାରୀ ଶୁଭମ ମେହେର, ଘେଁସ ବନଖଣ୍ଡ ଅଧିକାରିଣୀ ବିଜୟଲକ୍ଷ୍ମୀ ପଟେଲ, ପୂଜା କମିଟି ସଭାପତି ମାରୁତି ମୋହନ ମିଶ୍ର, ପୂଜା କମିଟି ସଂପାଦକ ଧୀରେନ ବିଶ୍ୱାଲ ଯୋଗ ଦେଇଥିଲେ । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଅଭିନୟ କରୁଥିବା ଭୁବନ ପଧାନଙ୍କ ଦ୍ୱାରା ରାବଣ ଅଭିନୟ ଦର୍ଶକ ମାନଙ୍କ ପାଇଁ ଏକ ନିଆାରା ପରିବେଶ ଦେଖିବାକୁ ମିଳିଥିଲା । ରାତ୍ରରେ ଦର୍ଶକ ମାନଙ୍କ ପାଇଁ ଟାଲର ମା’ ସାରଳା ମହିଳା ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା । ଗ୍ରାମର ନିରଞ୍ଜନ ସାହୁଙ୍କ ପରିବାର ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ଆସନ୍ତାକାଲି ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ସ୍ୱପ୍ନାରାଣୀ ଯୋଷୀଙ୍କ ଦ୍ୱାରା ପାରାୟଣ ଗାନ କରାଯିବା ସହ ସଂଧ୍ୟାରେ ପପଙ୍ଗାର ତାରା ବାହାକ ଓ ଯୁଗୀପାଲିର ମନୋଜ ବାହାକଙ୍କ ଦ୍ୱାରା ବୈଠକି ଅନୁଷ୍ଠିତ ହେବ । ରାବଣ ଦରବାରରେ ଓଡିଶା ତଥା ଓଡିଶା ବାହାରୁ ଆସୁଥିବ ପ୍ରସିଦ୍ଧ ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟିର ସଂପାଦକ ଧିରେନ ବିଶ୍ୱାଲ ସୂଚନା ଦେଇଛନ୍ତି । ଗ୍ରାମର ପୂଜା କମିଟି, ଉପଦେଷ୍ଟା କମିଟି, ଗ୍ରାମ୍ୟ କମିଟି ଓ ଯୁବ ସମାଜ ସହ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.