୭୨ତମ ଜୟନ୍ତୀ ଅବସରରେ ‘ପ୍ରେମ’ ସଭାପତି ଡ଼. ଥୁଣ୍ଡ୍ରିଲଙ୍କୁ ଅଭିନନ୍ଦନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱନାମଧନ୍ୟ ସମାଜସେବୀ ତଥା ‘ପ୍ରେମ’ର ସଭାପତି ଡ଼. ଜାକୋବ ଥୁଣ୍ଡ୍ରିଲଙ୍କ ୭୨ତମ ଜୟନ୍ତୀ ଅବସରରେ ଆୟୋଜିତ ସଭାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ପ୍ରେମ’ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନାର ଉତ୍ତର ଦେଇ ଡ଼. ଥୁଣ୍ଡ୍ରିଲ କହିଲେ ସେ ୧୯୮୦ ମସିହାରୁ ନିଜର ସମସ୍ତ ପାରିବାରିକ ବନ୍ଧୁଙ୍କୁ ତୁଟାଇ ସମାଜରେ ଥିବା ଦଳିତ, ନିଷ୍ପେସିତ ଓ ଅବହେଳିତ ଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କିଭଳି ହୋଇପାରିବ ସେଥିପାଇଁ ସେ ୪୩ ବର୍ଷ ଧରି ଲଗାତର ଉଦ୍ୟମ କରି ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ôଚ ପାରିଛନ୍ତି ବୋଲି କହିଥିଲେ । ‘ପ୍ରେମ’ ସଂଗଠନ ୧୪ଟି ରାଜ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ବେଶ୍‌ ସଫଳତା ହାସଲ କରିପାରିଛି । ସେ କହିଲେ, ଶିକ୍ଷା ବ୍ୟବସ୍ଥା ଦ୍ୱାରା ଜାତି, ଧର୍ମ, ବିଦ୍ୱେଷ ଲୋପ ପାଇବ । ସମାଜର ଉଚ୍ଚ ବର୍ଗର ଲୋକଙ୍କ ପାଇଁ ସମସ୍ୟା ନଥିବା ବେଳେ ସମୟର ପରିବର୍ତ୍ତନ ଯୋଗୁଁ ଆଜି ତଳ ଶ୍ରେଣୀର ଲୋକ ମଧ୍ୟ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି । କିନ୍ତୁ ମଧ୍ୟବିତ୍ତ ଶ୍ରେଣୀର ଲୋକ କୌଣସି ଯୋଜନାର ସୁଫଳ ପାଇପାରୁନାହାନ୍ତି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଢ଼ାଞ୍ଚାରେ ‘ପ୍ରେମ୍‌’ ମୂଳରୁ ହିଁ କାର୍ଯ୍ୟକ୍ରମ କରି ଆସୁଛି । ଗ୍ରାମର ବିକାଶ ହେଲେ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ପ୍ରେମ’ର ସମ୍ପାଦକ ଚାକୋ ପୁରୁବାନାନି, ସାମ୍ବାଦିକ ଜୟକୃଷ୍ଣ ହୋତା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଜିଲା କଲ୍ୟାଣ ଅଧିକାରୀ ପିତବାସ ଦାଶ, ଆଡଭୋକେଟ ନାଗେଶ୍ୱର ରାଓ, ସୁଧୀର ଦିଗାଲ, ସତ୍ୟ ନାରାୟଣ ପାତ୍ର, ସାମ୍ବାଦିକ ସୁଦୀପ୍ତ ଷଡ଼ଙ୍ଗୀ, ‘ପ୍ରେମ୍‌’ର କର୍ମକର୍ତ୍ତା ରବିନ୍ଦ୍ର ନାଥ ମହାନ୍ତି, ଏସ.କେ ମହାନ୍ତି, ଶିବ ପ୍ରସାଦ, ନବୀନ ମିଶ୍ର, ଶ୍ରୀନିବାସ ରାଓ, ଭାଲେରିୟାନ ଡି. ଲିମା ପ୍ରମୁଖ ଯୋଗଦେଇ ନିଜର ଭାଷଣରେ ପ୍ରେମ ସଭାପତିଙ୍କ ଗୁଣଗାନ କରିବା ସହ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଦୀର୍ଘ ଜୀବନ କାମନା କରିଥିଲେ । ଶେଷରେ ‘ପ୍ରେମ’ ଲୋକସମ୍ପର୍କ ଅଧିକାରୀ ରତନ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.