
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ସଦର ସାପ୍ତାହିକ ଗୋରୁ ବଜାରରେ ପ୍ରବଳ ଗହଳି ଲାଗି ରହୁଛି । କେହି ପିନ୍ଧୁ ନାହାନ୍ତି ମାକ୍ସ ଓ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ । ଏସଏଚ ନଂ.୪୧ ରାସ୍ତା ସଂଲଗ୍ନ ପଡିଆରେ ବଜାର ବସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଅଙ୍କୁଶ ନାହିଁ । ଫଳରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ବିଭିନ୍ନ ଅଞ୍ଚଳରେ ଗୋରୁ ବଜାର ବନ୍ଦ ରଖାଯାଇଥିବା ବେଳେ କୋଭିଡ କଟକଣା ଭିତରେ ମଧ୍ୟ ଆମ୍ବଗାଁ ସାପ୍ତାହିକ ଗୋରୁ ବଜାର ବେଫିକର ଚାଲୁ ରହିଛି । କଳାହାଣ୍ତି, କନ୍ଧମାଳ, ବଲାଙ୍ଗିର, ସୋନପୁର ଆଦି ପଡୋସୀ ଜିଲ୍ଲାର ବହୁ ସଂଖ୍ୟାରେ ଗୋରୁ ବ୍ୟବସାୟୀ ଏଠାକୁ ବେପାର ପାଇଁ ଆସୁଛନ୍ତି । ମଙ୍ଗଳବାର ବଜାର ବସୁଥିବା ବେଳେ ସୋମବାର ଦିନଠାରୁ ଶତାଧିକ ବ୍ୟବସାୟୀ ଗୋରୁପଲ ଆଣି ଆଖପାଖରେ ରଖିଥାନ୍ତି । ଫଳରେ ରାସ୍ତାରେ ଯିବା ଆସିବାରେ ଯାତ୍ରୀଙ୍କୁ ବହୁତ ବାଧା ସୃଷ୍ଟି ହୋଇଥାଏ । ବଜାର ଦିନ ସମସ୍ତ କଟକଣାକୁ ବେଖାତିର କରି ବଜା ବସିଥାଏ ଏବଂ ବଜାର ଶେଷ ହେବାପରେ ଚାରିଚକିଆ ଯାନ ଯୋଗେ ଗାଈଗୁଡିକ ଦଲାଲ ମାଧ୍ୟମରେ କୋଟଗଡ, ଗଞ୍ଜାମ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ସ୍ଥାନକୁ ହତ୍ୟା ନିମନ୍ତେ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ଗତକାଲି ବଜାର ଶେଷ ପରେ ଲଣ୍ତାବାହାଲ ନିକଟରେ କିଛି ଗାଡି ରଖି ଗୋ ଚାଲାଣ ପାଇଁ ଦଲାଲମାନେ ପ୍ରସ୍ତୁତ ହେଉଥିବା ସମୟରେ ଗୋ‐ପ୍ରେମୀମାନେ କଣ୍ଟାମାଳ ଏବଂ ବାଲିଗୁଡା ପୋଲିସକୁ ଖବର ଦେବାରୁ ପୁଲିସ ପହଞ୍ଚି ସେମାନଙ୍କୁ ଗାଡିରେ ନନେବାକୁ ତାଗିତ କରିଥିଲା । ଆମ୍ବଗାଁ ଗୋରୁ ବଜାର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ବେଳେ ଏଠାରେ ଅସାଧୁ ବ୍ୟବସାୟୀଙ୍କ ସଂଖ୍ୟା ଅଧିକ ରହିଛି କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ପୋଲିସ ପ୍ରଶାସନ କାହାରି ନଜର ନାହିଁ । ବର୍ତ୍ତମାନ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ଦେଖା ଦେଇଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ସଂମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପରିସ୍ଥିତିରେ ଗୋରୁ ବଜାର ବନ୍ଦ ରଖିବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ରାଷ୍ଟ୍ରୀୟ ଗୋ‐ସୁରକ୍ଷା ସମିତିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
