‘କୋଶଳ ପ୍ରବାହ’ର ପ୍ରଭାବ : ଢୋଲମାନ୍ଦଲର ଅନାଥ ଶିଶୁଙ୍କ ପାଖରେ ପହଂଚିଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : ଗତ ଡିସେମ୍ବର ୩୦ ତାରିଖ ଦିନ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଆଈଙ୍କ ଭରସାରେ ୫ ମା’ବାପା ଛେଉଣ୍ଡ ନାତିନାତୁଣୀ ଦୁର୍ଦ୍ଦିନରେ ରହୁଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପାଖରେ ଖବର ପଂହଚିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣ ଖୁଆସ, ବ୍ଲକ ସିଡିପିଓ ସରିତା ପଟ୍ଟନାଏକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲ, ପୂର୍ବ ସି.ଡବ୍ଲୁ.ସି. ପୂର୍ବତନ ଅଧ୍ୟକ୍ଷ ଡଃ ସଂଜୟ କୁମାର ମିଶ୍ର ପ୍ରମୁଖ ଢୋଲମାନ୍ଦଲ ଗାଁକୁ ସୋମବାର ଯାଇଥିଲେ । ସେଠାରେ ଆଙ୍ଗନବାଡି କର୍ମୀ ଲକ୍ଷ୍ମୀ ପରାଭୁଏ, ମହିଳା ପର୍ଯ୍ୟବେକ୍ଷକା ଟେଭାବତି ସୁନାଙ୍କ ସହ ତାଙ୍କ ପରିବାର ବର୍ଗ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଶିଶୁମାନେ କିପରି ଜାତୀୟ ପରିବାର ମଙ୍ଗଳ ଯୋଜନାର ସହାୟତା ରାଶି ପାଇବେ, ତାଙ୍କର ଶିକ୍ଷା, ରହଣି, ଖାଦ୍ୟ ଓ ସ୍ୱାସ୍ଥ୍ୟର ଉପଯୁକ୍ତ ବ୍ୟବସ୍ଥା ସଂପର୍କରେ ଗ୍ରାମରେ ଖୋଲାଖୋଲି ଆଲୋଚନା ହୋଇଥିଲା । ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ଗୃହରେ ଅନାଥ ଶିଶୁ ମାନଙ୍କୁ ଥାଇଥାନ କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ପ୍ରଶାସନର ଏହି ପଦକ୍ଷେପରେ ଉପାନ୍ତ ଗାଁର ଜନସାଧାରଣ ଏବଂ ମା’ବାପା ଛେଉଣ୍ଡ ଶିଶୁଙ୍କ ମନରେ ନୂତନ ଆଶାର ସଂଚାର ହୋଇଛି । ଲାଳନ ପାଳନ କରୁଥିବା ବୃଦ୍ଧା ଆଈଙ୍କ ସ୍ନେହ ମମତାରେ ବାନ୍ଧି ହୋଇଥିବାରୁ ନାତି ନାତୁଣୀଙ୍କୁ ଛାଡି ନ ପାରି ପ୍ରଶାସନକୁ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ନିଷ୍ପତି ଜଣାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.