ମାଲକାନଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଗିରଫ ଘଟଣାକୁ ନିନ୍ଦା କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସତ୍ୟ ଖବର ପ୍ରସାରଣ କରିଥିବା ମାଲକାନଗିରିର ପାଂଚ ଜଣ ସାମ୍ବାଦିକଙ୍କୁ ମିଥ୍ୟା ଏତଲା ଆଧାରରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଦୃଢ଼ ଭାବେ ନିନ୍ଦା କରୁଛି । ଏଭଳି ଏକ ଘଟଣାରେ ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବାରୁ ରାଜ୍ୟର ସାମ୍ବାଦିକ ମର୍ମାହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାର ଖବର ପରିବେଷଣ କରି ସରକାରଙ୍କୁ ଅବଗତ କରିବାକୁ ଚେଷ୍ଟା କରୁଥିବା ବେଳେ କେତେକ ଅସାଧୁ ଡାକ୍ତରଙ୍କ ଚାପରେ ପଡ଼ି ମାଲକାନଗିରି ପୋଲିସ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଡାକ୍ତରମାନେ ନିଜ ଦୋଷ ଲୁଚାଇବାକୁ ଯାଇ ସେହି ସାମ୍ବାଦିକମାନଙ୍କ ନାମରେ ମିଥ୍ୟା ଏତଲା ଦେଇଥିଲେ । ପୋଲିସ କୌଣସି ପ୍ରକାର ତଦନ୍ତ ନକରି ରାତି ଅଧିଆ ୫ଜଣ ସାମ୍ବାଦିକଙ୍କୁ ଗିରଫ କରିବା ଓ କୋର୍ଟ ଚାଲାଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଗିରଫ ସାମ୍ବାଦିକମାନେ ଜାମିନରେ ଖଲାସ୍‌ ହୋଇଥିଲେ ହେଁ, ସେମାନଙ୍କ ବିରୁଦ୍ଧରେ କରାଯାଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବାକୁ ଜିଲ୍ଲା ସାମ୍ବାଦିକ ସଂଘ ଦାବୀ କରୁଛି ।

ଏହାସହ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୋଲିସର ଦମନମୂଳକ ନୀତି ଯୋଗୁଁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନବରାବୃତ୍ତି ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ ରଖିଛି ।

Leave A Reply

Your email address will not be published.