ଜଗତ୍ସିଂହପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ପୀରଜାହାନିଆ ଠାରେ ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନି । ସୂଚନା ଅନୁସାରେ, ଜଗତସିଂହପୁରରୁ କିଛି ଯୁବକ ଭୋଜି କରିବାକୁ ଅସ୍ତରଙ୍ଗ ସମୁଦ୍ରକୂଳକୁ ଯାଇଥିଲେ । ଭୋଜି ସରିବା ପରେ ଉକ୍ତ ୩ଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ୩ଜଣ ଯାକ ବୁଡ଼ି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଦୁଇଜଣ ଭାସିଯାଇଥିଲେ । ପରେ ଆଉ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବକ ଅନ୍ୟ ଜଣଙ୍କୁ ଖୋଜିବାରେ ଲାଗିଥିବା ଜଣାପଡିଛି ।