ନରେନ୍ଦ୍ର ମୋଦୀ ତାଙ୍କ ନିଜ ଭାଷାରେ ଜଣେ ଦେଶଦ୍ରୋହୀ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢି ଚାଲିଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବର୍ଷ ପୂର୍ବରୁ ନିଜ ବକ୍ତବ୍ୟରେ କହିଥିଲେ ଦେଶରେ ବଢୁଥିବା ପେଟ୍ରୋଲ ଓ ଡିଜେଲର ଦରକୁ ଯେଉଁ ପ୍ରଧାନମନ୍ତ୍ରୀ କମାଇ ପାରିବନି କିମ୍ବା ନିୟନ୍ତ୍ରଣରେ ରଖିପାରିବ ନାହିଁ, ସେ ଜଣେ ଦେଶଦ୍ରୋହୀ ଅଟେ । ତେଣୁ ନରେନ୍ଦ୍ର ମୋଦୀ ଜଣେ ଦେଶଦ୍ରୋହୀ ଅଟନ୍ତି ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜିି କଂଗ୍ରେସ ଦଳର ତୈଳଦର ପ୍ରତିବାଦରେ ୬ ଘଣ୍ଟିଆ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତାଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି । ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ଦର କମ ଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଲେଜ ଉପରେ ଅତିରିକ୍ତ ଟିକସ ବସାଇ ସାଧାରଣ ଜନତାଙ୍କ କଷ୍ଟ ଉପାର୍ଜିତ ଧନକୁ ଲୁଟୁଛନ୍ତି । କ୍ରମାଗତ ଭାବରେ ତୈଳଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ ହେବାରେ ଲାଗିଲାଣି । ଗତ ସାଢେ ୬ ବର୍ଷ ଭିତରେ କେନ୍ଦ୍ରର ବିଜେପି ସରକାର ତୈଳଦର ବୃଦ୍ଧି କରି ୨୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ସାଧାରଣ ଜନତାଙ୍କଠୁ ଲୁଟ୍‌ କରିଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ, ନିଜ ବକ୍ତବ୍ୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ କହିଥିବା ଦେଶଦ୍ରୋହୀ କଥା ତାଙ୍କ ନିଜ ଉପରେ ଲାଗୁ ହେବା ଉଚିତ । ତେଣୁ ତୈଳଦରକୁ ନିୟନ୍ତ୍ରଣ ନ କରିପାରିବା କିମ୍ବା କମେଇ ନ ପାରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଦେଶଦ୍ରୋହୀ ଘୋଷଣା କରନ୍ତୁ ।

Leave A Reply

Your email address will not be published.