oom

ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲସ୍ଥିତ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୧୧ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆ-ଓ ଯୋଜନା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ ନୁଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଦିବସରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ରଞ୍ଜନ ସାହୁ, ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗ, ଖପ୍ରାଖୋଲ ପଞ୍ଚାୟତ ସରପଞ୍ଚ ବେଟିଖାଇ ସେନ୍ଦରିଆ, ପଶ୍ଚିମ ଓଡିଶା ମେଲୋଡି କିଙ୍ଗ ରୁକ୍ମଣ ସୁନା(ରୁକୁ), ମୁଖ୍ୟବକ୍ତା ପୂର୍ବତନ ପ୍ରଫେସର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବିନୟ ଜେନା ପ୍ରମୁଖ ଯୋଗଦେଇ ରାଜ୍ୟରେ ଯୁବଶକ୍ତିଙ୍କ ସୃଜନାଶୀଳତାର ବିକାଶ ସହିତ ଆତ୍ମବିଶ୍ୱାସକୁ କିପରି ତ୍ୱରାନ୍ୱିତ ଓ ସଶକ୍ତ କରାଯାଇପାରିବ ଉଦ୍‌ବୋଧନ ଦେଇଥିଲେ । ପୁନଶ୍ଚ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଯୁବଶକ୍ତି ନିମନ୍ତେ ଉତ୍କୃଷ୍ଠ ମଞ୍ଚ ବୋଲି ଅତିଥିମାନେ କହିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହାର ସୁବିନିଯୋଗ କରିବା ଉପରେ ଦିଗଦର୍ଶନ ଦେଇଥିଲେ । ପରେ ପରେ ନୁଆ-ଓ ପରିପ୍ରେକ୍ଷୀରେ ଯୁବକ, ଯୁବତୀମାନଙ୍କ ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀଙ୍କୁ ଅତିଥିବୃନ୍ଦ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ନୁଆ-ଓ ଫେଷ୍ଟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ସୃଜନଶୀଳତାକୁ ଆହୁରି ପରିସ୍ଫୁଟ କରିବାକୁ ସୁଯୋଗ ପାଇପାରିବେ । ପରେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.