- ଜଣେ ଚାଷୀଙ୍କୁ ୫ ହଜାର ଟଙ୍କା ପେନ୍ସନ୍ ଦିଆଯାଉ ବୋଲି ଦାବୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧାନ ଫସଲ ଉଜୁଡିଯିବା ସହ ଜମି ଫାଟି ଆଁ କଲାଣି । ଚାଷୀମାନେ କଷ୍ଟପଡ଼ି ହନ୍ତସନ୍ତ ହୋଇଗଲେଣି । ସେମାନଙ୍କୁ କ୍ଷତିପୂରଣ ଦିଆଯାଉ । କୃଷି ଋଣ ଛାଡ଼ କରାଯିବ ପାଇଁ ଦାବୀ ଉଠିଛି । ଜିଲ୍ଲାରେ ରହିଥିବା ନଦୀ ସମୂହ ସଂଯୋଗ ପ୍ରକ୍ରିୟା ପ୍ରତି ସରକାର ଆଦୌ ଧ୍ୟାନ ଦେଇନାହାନ୍ତି । ଜଳ ଭଣ୍ଡାର ଗୁଡିକର ସ୍ଥାୟୀତ୍ୱ ଓ ସେଗୁଡ଼ିକର ସ୍ଥାୟୀ ରକ୍ଷଣାବେକ୍ଷଣ ରଖିବାରେ ସରକାର ପଦକ୍ଷେପ ନେଉନାହାଁନ୍ତି । ଜଳସେଚନ ସୁବିଧା ଥିବା ଜମିଗୁଡିକୁ ମଧ୍ୟ ଠିକ୍ ସମୟରେ ପାଣି ମିଳିବା ନେଇ ଜଟିଳ ପରିସ୍ଥିତି ଦେଖାଦେଇଛି । ସମସ୍ୟା ଉତ୍କଟ ହେଲାଣି । ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଜଳସେଚନ ସହ ଚାଷୀଙ୍କ ସମସ୍ୟା ସମାଧାନ ଦାବୀରେ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଛତ୍ରପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାସ୍ତରୀୟ ଚାଷୀ ସମାବେଶରେ ଏଥିରେ ଜିଲ୍ଲାର ଆଦିବାସୀମାନଙ୍କୁ ଜଙ୍ଗଲ ଜମିରେ ଅଧିକାର, ସେମାନଙ୍କ ଅଞ୍ଚଳରେ ଥିବା କାଳୁଗଛର ପଟ୍ଟା ପ୍ରଦାନ, ବୟସ୍କ ଚାଷୀ ଯେତିକି ସଂଖ୍ୟକ ଚାଷ ଉପରେ ନିର୍ଭରଶୀଳ ସେମାଙ୍କୁ ମାସିକ ୫ ହଜାର ପେନ୍ସନ ଆଦି ଦାବୀ ରହିଛି ।