ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ୪୦ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ରବିବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ଯଜ୍ଞର ଅଙ୍କୁରାରୋପଣ କାର୍ଯ୍ୟ ଯଥାବିଧି ସମାପନ ହୋଇଥିବା ବେଳେ ରବିବାର ୪୦ରୁ ଅଧିକ ବ୍ରତୀ ୱାଉପଡା ଗ୍ରାମର ପଦ୍ମ ପୁଷ୍କରିଣୀରୁ ଜଳଭର୍ତ୍ତି କଳସ ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ କଳସଗୁଡିକ ଯଜ୍ଞ ପୀଠରେ ସ୍ଥାପନ କରାଯାଇଥିଲା । ଯଜ୍ଞ କର୍ତ୍ତା ଓ ବ୍ରତୀମାନଙ୍କୁ ବିଭିନ୍ନ ଗ୍ରାମରେ ମହିଳାମାନେ ଧୂପ, ଦୀପ, ଅକ୍ଷତ ଓ ପୁଷ୍ପ ଆଦି ସମର୍ପଣ କରିବା ପୂର୍ବକ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ରାମଭକ୍ତ ଦିଲ୍ଲୀପ କୁମାର ବଳିୟାରସିଂହ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ସାମନ୍ତରାୟଙ୍କ ସହ ଯଜ୍ଞ ପୀଠରେ ଉପସ୍ଥିତ ହୋଇ କର୍ତ୍ତା ଓ କର୍ତ୍ତୀ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ରାମଙ୍କ ପରମଭକ୍ତ ମହେନ୍ଦ୍ର କୁମାର ଶ୍ରୀଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୪୦ବର୍ଷ ଧରି ଏହି ଯଜ୍ଞାନୁଷ୍ଠାନ କାର୍ଯ୍ୟ ପରିଚାଳିତ ହୋଇ ଆସୁଥିବା ବେଳେ କରୋନା ମହାମାରୀ ନିମନ୍ତେ ଦୁଇବର୍ଷ ହେଲା କେବଳ ଯଜ୍ଞାନୁଷ୍ଠାନ କାର୍ଯ୍ୟକ୍ରମ ନୀତିକାନ୍ତି ମଧ୍ୟରେ ସୀମିତ ଥିଲା । ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ମିଳିତ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆସନ୍ତା ଗୁରୁବାର ଗୋଧୂଳି ଲଗ୍ନରେ ମହାଯଜ୍ଞର ପୂର୍ଣ୍ଣାହୂତି ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ପାଲା ଓ ରାମ ନାଟକ ଆଦି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସାଉରିଆ ଯଜ୍ଞ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଯଜ୍ଞର ମୁଖ୍ୟ ପୁରୋଧା ପଣ୍ଡିତ ମୃତ୍ୟୁଞ୍ଜୟ ମିଶ୍ର ସାଥୀମାନଙ୍କ ସହ ମହାଯଜ୍ଞ ପୂଜାବିଧି କାର୍ଯ୍ୟ ଯଥାରୀତି ନିର୍ବାହ କରୁଛନ୍ତି । ଏହି ଧର୍ମାନୁଷ୍ଠାନରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସମବେତ ହୋଇ ପ୍ରଭୁ ଶ୍ରୀରାମଙ୍କ କୃପାଭିକ୍ଷା ଲାଭ ପାଇଁ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.