om academy

ବ୍ରହ୍ମପୁରର ମା’ବୁଢ଼ୀଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଉଦଯାପିତ : ପୁଣି ଦୁଇବର୍ଷ ପରେ

jsm

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ବ୍ରହ୍ମପୁର ସହରର ଐତିହାସିକ ମାଆ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଯାଇଛି । ଏପ୍ରିଲ ୯ ତାରିଖ ବିଳମ୍ବିତ ରାତ୍ରୀରେ ମାଆ ନିଜ ମନ୍ଦିରରୁ ବାହାରୁ ଦେଶୀବେହେରା ସାହିରେ ନିର୍ମିତ ଅସ୍ଥାୟୀ ମନ୍ଦିରକୁ ବିଜେ ହୋଇଥିଲେ । କିମ୍ବଦନ୍ତୀ ପ୍ରକାରେ ମାଆ ବାପ ଘରକୁ ବୁଲି ଆସିଥିଲେ । ପୂର୍ବରୁ ମାସାଧିକ କାଳ ହୋଇ ଆସିଥିବା ଏହି ଯାତ୍ରାକୁ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ପ୍ରଶାସନ ମାତ୍ର ଏକ ସପ୍ତାହ ପାଇଁ ଅନୁମତି ଦେଇଥିଲେ । ଶନିବାର ଭୋରରୁ ମାଆ ମୁଖ୍ୟ ମନ୍ଦିରକୁ ଫେରିଯିବା କଥା । କିନ୍ତୁ, ସୋମବାର ପଯ୍ୟନ୍ତ ଯାତ୍ରା ସମୟ ବଢିଥିଲା । ବ୍ରହ୍ମପୁର ସବ୍ କଲେକ୍ଟର କୀର୍ତ୍ତି ଭାସନ ଅସ୍ଥାୟୀ ମନ୍ଦିରରୁ ମୁଖ୍ୟ ମନ୍ଦିର ପର୍ୟ୍ୟନ୍ତ ରାସ୍ତାରେ ୧୪୪ ଧାରା ଜାରି କରି ମାଆ ନିଜ ମୁଖ୍ୟ ମନ୍ଦିରରେ ପହଞ୍ଚିବା ବ୍ୟବସ୍ଥା କରିଥିଲେ । ସମଗ୍ର ରାଜ୍ୟ କରୋନା ମହାମାରୀର ଦ୍ଵିତୀୟ ଲହରକୁ ନେଇ କଡ଼ା କଟକଣା ମଧ୍ୟରେ ଗତି କରୁଥିବା ସମୟରେ ଚଳିତ ବର୍ଷର ଠାକୁରାଣୀ ଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଛି । ଠାକୁରାଣୀ ଯାତ୍ରାର ପ୍ରାରମ୍ଭରେ ମାଆଙ୍କ ଦର୍ଶନ କଟକଣା-ମୁକ୍ତ ଥିଲା । ସୀମିତ ସମୟ ପାଇଁ ହେଲେ ମଧ୍ୟ ଭକ୍ତ ଦର୍ଶନ ପାଉଥିଲେ । ମାଆଙ୍କ ମନ୍ଦିରର ଦୁଇ ଜଣ ପୂଜକ କରୋନା ଆକ୍ରାନ୍ତ ହେବା ଜଣାପଡିବା ପରେ ପ୍ରଶାସନ ଅସ୍ଥାୟୀ ମନ୍ଦିର ଓ ତାହା ଚାରି ପାଖ ଅଞ୍ଚଳକୁ ସିଲ୍ କରି କେବଳ ପରମ୍ପରା ରକ୍ଷା ପାଇଁ ନୀତିକାନ୍ତି ସେବାକୁ ଅନୁମତି ଦେଇଥିଲେ । ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ସୋମବାର ରାତିରେ ମଧ୍ୟ ସୀମିତ ପଟୁଆରରେ ମାଆଙ୍କ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା ହୋଇଥିଲା । ଦେଶୀବେହେରା ଦୁର୍ଗା ପ୍ରସାଦ ଓ ତାଙ୍କ ପତ୍ନୀ ଦେବକୀ ମାଆ ବୁଢୀ ଠାକୁରାଣୀଙ୍କ ଧର୍ମ ପିତା, ମାତା ଭାବେ ଏହି ଯାତ୍ରା ସମ୍ପାଦନ କରିଥିଲେ । ପୁନର୍ବାର ୨୦୨୩ରେ ବ୍ରହ୍ମପୁରର ଏହି ପ୍ରସିଦ୍ଧ ତଥା ଐତିହାସିକ ଯାତ୍ରା ଅନୁଷ୍ଠିତ ହେବ ।

Leave A Reply

Your email address will not be published.