ବଲାଙ୍ଗିରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଏଥିରେ କୃଷି ଓ କୃଷକର ବିକାଶ ସହ କମ ସମୟରେ ଅଧିକ ଅମଳ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଶୈଳୀରେ ତିଆରି ହୋଇଥିବା ଏବଂ ଉନ୍ନତମାନର ଯନ୍ତ୍ରପାତି ଗୁଡିକ ପ୍ରଦର୍ଶିତ ହୋଇଛି । ଏହି ମେଳା ମାଧ୍ୟମରେ ଚାଷୀମାନେ କିପରି ଅଧିକ ଉତ୍ପାଦନ ଏହି ଯନ୍ତ୍ରପାତି ଦ୍ଵାରା କରିପାରିବେ ସେ ସମ୍ପର୍କରେ କୃଷି ସମ୍ବନ୍ଧୀୟ କର୍ମଶାଳା, କୃଷି ଯନ୍ତ୍ରପାତିର ରିହାତି ଦରରେ ବିକ୍ରି ଓ ପ୍ରଦର୍ଶନ ଅନୁଷ୍ଠିତ ହେବ । ୧୪ ତାରିଖରୁ ଆସନ୍ତା ୧୮ ତାରିଖ ଯାଏଁ ଏହି ମେଳା ଚାଲିବ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜକିଶୋର ବିଶୋୟୀ, ଜିଲ୍ଲା କୃଷି ଅଧିକାରୀ ସୁବାସ ବେହେରା ମଞ୍ଚାସିନ ଥିଲେ । ପାରମ୍ପରିକ କୃଷିପଦ୍ଧତି ବଦଳରେ ଉନ୍ନତ ଶୈଳୀରେ କୃଷିକାର୍ଯ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଦ୍ଵାରା କୃଷକମାନଙ୍କର ସାମଗ୍ରିକ ଉନ୍ନତି ହେବା ସହିତ କୃଷକର ଆୟ ଦୁଇଗୁଣ ହୋଇପାରିବ । ରାଜ୍ୟ ସରକାର ମଧ୍ୟ ଚାଷୀ, ଅନୂସୂଚିତ ଜାତି ଓ ଅନୂସୂଚିତ ଜନଜାତିର ମହିଳାଙ୍କ ନିମନ୍ତେ ତଥା ସ୍ଵୟଂ ସହାୟକ ଦଳମାନଙ୍କ ପାଇଁ ରିହାତି ଦରରେ ମଧ୍ୟ ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାର ପକ୍ଷରୁ ହୋଇଥିବା ଏଭଳି ଲୋକାଭିମୁଖି ଯୋଜନା ଦ୍ୱାରା କୃଷି ଓ କୃଷକଙ୍କ ଆହୁରି ଅଧିକ ବିକାଶ କରାଯାଇପାରିବ ବୋଲି ନିମନ୍ତ୍ରିତ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରିହାତି ଦରରେ ଗୋଟେ ଜାଗାରେ ସବୁ ପ୍ରକାରର ଯନ୍ତ୍ର କିଣା ବିକା ପାଇଁ ଉପଲବ୍ଧ । ବ୍ୟାଙ୍କ ଲିଙ୍କେଜ୍‌ ଉପଲବ୍ଧ ହେବା ସହ ଚାଷୀମାନଙ୍କ ସବୁପ୍ରକାର ସୁବିଧା ପାଇଁ ବିଭିନ୍ନ ବିଭାଗର ସମନ୍ଵୟ ଗୋଟିଏ ଜାଗାରେ ଉପଲବ୍ଧ କରାଯାଇଛି । କୃଷି ବିଭାଗର ବିଭିନ୍ନ ପଦାଧିକାରୀ ଏବଂ କର୍ମଚାରୀ ଚାଷୀ ଏବଂ ବିଭିନ୍ନ ଅଧିକାରୀଗଣ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ଯୋଜନା ଅଧିକାରୀ ସୁଧାକର ନନ୍ଦ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.