କଂଟାବାଂଜି ଓ ତୁରେକେଲାରେ କଂଗ୍ରେସର ବନ୍ଦ ପାଳନ : ଡେଲି ମାର୍କେଟ ଓ ସାପ୍ତାହିକ ବଜାର ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ କଂଗ୍ରେସର ଆହ୍ୱାନକ୍ରମେ ସୋମବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସୋମବାର ସାପ୍ତାହିକ ବଜାର ଥିବାରୁ ଉଭୟ ଡେଲି ମାର୍କେଟ ଓ ସାପ୍ତାହିକ ବଜାର ଉପରେ କୌଣସି ପ୍ରଭାବ ପଡି ନଥିଲା । ଏପରିକି ରେଲ ଚଳାଚଳରେ ମଧ୍ୟ ପ୍ରଭାବ ପଡି ନଥିଲା । ସହରର ସମସ୍ତ ପେଟ୍ରୋଲ ପମ୍ପ ସହ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସରକାରୀ କାର୍ୟ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିଥିଲା । ସକାଳ ସାତଟାରୁ କଂଟାବାଂଜି ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରା ଓ ସଂପାଦକ ଘନଶ୍ୟାମ ଗୁପ୍ତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ମୋଟର ସାଇକଲ ରାଲି ଯୋଗେ ଉଠା ଦୋକାନୀ ମାନଙ୍କୁ ପିକେଟିଂଗ ଯୋଗେ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବନ୍ଦ ପାଳନରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅନପସ୍ଥିତିରେ ତାଙ୍କ ପୁଅ ସେଜି ସାଲୁଜା, ଚମାର ସେଠ, ସୁନିଲ ଶର୍ମା, ସତୀଶ ଖଣ୍ଡେଲ ୱାଲ ସହ ଅନ୍ୟ କଂଗ୍ରେସ କର୍ମିମାନେ ମଧ୍ୟ ସାମିଲ ଥିଲେ । ବନ୍ଦ ବେଳେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟି ନ ଥିବା ବେଳେ ସ୍ଥାନୀୟ ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ ଥିଲେ । ସେହିପରି ତୁରେକେଲା ବ୍ଲକ ସଦର କାର୍ୟ୍ୟାଳୟରେ ମଧ୍ୟ ବ୍ଲକ କଂଗ୍ରେସ ତରଫରୁ ବନ୍ଦ ପାଳିତ ହୋଇଛି । ତୁରେକେଲା ବ୍ଲକ କଂଗ୍ରେସ ସଭାପତି କାର୍ତିକ ପୁଟେଲ, ସଂପାଦକ ବାଲକୃଷ୍ଣ ସେଲମାଙ୍କ ନେତୃତ୍ୱରେ ବ୍ଲକ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତୁରେକେଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହି ବନ୍ଦ ପାଳନରେ କୌଶିକ ମେହେର, ରାମକୃଷ୍ଣ ବେନିଆ ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.