ଋଷିକୂଲ୍ୟା ନଦୀ ଘାଟରେ ଅବସ୍ଥିତ କଂସାରୀଗଣ୍ଡ ଉନ୍ନତି ନିମନ୍ତେ ୨୪୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁଣ୍ୟତ୍ତୋୟ ଋଷିକୂଲ୍ୟା ନଦୀଘାଟ ଅଞ୍ଚଳ ଛତ୍ରପୁର ବ୍ଲକ୍ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଧିନ ହଂସପୁର ଠାରେ ଅବସ୍ଥିତ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇ ଏକ ବୃହତ୍ତମ ଜଳ ପ୍ରକଳ୍ପର ନିର୍ମାଣ କରାଯିବା ନେଇ ବହୁ ଦିନ ଧରି ଗଞ୍ଜାମବାସୀଙ୍କ ସ୍ୱପ୍ନ ଥିଲା । ଏହି ପ୍ରକଳ୍ପ ହେଲେ ଗଞ୍ଜାମବାସୀଙ୍କର ବୃହତ୍ତର ଜଳ ସମସ୍ୟା ଦୂର ହେବ । ଦକ୍ଷିଣ ଓଡ଼ିଶାର ବୃହତ୍ତମ ମହାନଗର ବ୍ରହ୍ମପୁର ସହରରେ ପାନୀୟଜଳ ସମସ୍ୟାର ସମାଧାନ ହେବାର ଆଶା ରହିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ମହଲରେ ଦୃଢ଼ତାର ସହ ଦାବୀ ହୋଇ ଆସିଥିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୌଣସି ପଦକ୍ଷେପ ନିଆଯାଇ ନଥିବା ସାଂଗକୁ ସରକାରଙ୍କର ବୈମାତୃକ ମନୋଭାବ ଏବଂ ଅବହେଳା ପ୍ରଦର୍ଶନ ହୋଇଆସିଛି । ଏନେଇ ଶୁକ୍ରବାର ଭିଡିଓ କନଫରେନ୍ସି ଜରିଆରେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କର ଉପସ୍ଥିତରେ ସ୍ଥାନୀୟ ଜନପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ଆଲୋଚନା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ଜନପ୍ରତିନିଧିମାନେ ୫ଟି ସଚିବଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି ବ୍ୟାରେଜ ନିର୍ମାଣ ହେଲେ ଗଞ୍ଜାମ ଓ ଛତ୍ରପୁର ବ୍ଲକରେ କୃଷିର ଉନ୍ନତି କଳ୍ପେ ଜଳସେଚନର ସୁବିଧା ହେବା ସହ ପାନୀୟଜଳ ସମସ୍ୟା ଦୂର ହେବ ବୋଲି କୁହାଯାଇଛି । ଏଥିଲାଗି ପୂର୍ବରୁ ୨୪୦ କୋଟି ଟଙ୍କାର ଏକ ପ୍ରସ୍ତାବ ଜଳସେଚନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଜଣାପଡ଼ିଛି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟସରକାର ଏହାକୁ ଆଗ୍ରାହ୍ୟ ସ୍ୱୀକାର କରିଛନ୍ତି । ବହୁ ଦିନର ଆଶା ସଫଳ ଓ ସାକାର ହେବ ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ସମସ୍ତଙ୍କ ସହ ସମ୍ମିଳିତ ଭାବେ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.