
ସାଲେପୁର : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ । ସାଲେପୁର କିଶନନଗର ଥାନା ଗୁଆଳି ମଠ ସାହି ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିଛି ଦୂରରୁ ବାଇକ୍ ସହ ପ୍ୟାଣ୍ଟ୍, ସାର୍ଟ, ଚପଲ ପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି ନିଶ୍ଚିନ୍ତକୋଇଲି ସରପଡ଼ା ବୋଧଙ୍ଗ ଗାଁର ଦେବେନ୍ଦ୍ର ସ୍ଵାଇଁଙ୍କ ପୁଅ ଅମ୍ଳାନ ଜ୍ୟୋତି ସ୍ଵାଇଁ । ଅମ୍ଳାନ ଜ୍ୟୋତିଙ୍କୁ କେହି ମାରି ମହାନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କିଶନନଗର ଓ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ସରପଡା ବୋଧଙ୍ଗ ଗାଁର ଦେବେନ୍ଦ୍ର ସ୍ୱାଇଁଙ୍କ ପରିବାର ସାଲେପୁର ମାଛୁଆତି ଗ୍ରାମରେ ଭଡା ନେଇ ରହୁଥିଲେ । ପ୍ରତିଦିନ ଭଳି ପୁଅ ଅମ୍ଳାନ ଗତକାଲି ସନ୍ଧ୍ୟାରେ ଯୋଗ କରିବାକୁ ଆସି ଘରକୁ ଫେରି ନଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ କିଶନନଗର ଥାନା ମହାନଦୀ କୂଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଅନତି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍ ,ସାର୍ଟ, ଚପଲ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ କିଶନନଗର ଓ ସାଲେପୁର ପୋଲିସ ପହଞ୍ଚି ମୃତଦେହ, ଗାଡି ଓ ମୋବାଇଲକୁ ଜବତ କରିଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।