ଟାଉନ୍‌ସିପ୍‌ ପାଇଁ ଭୂମି ପୂଜନକୁ ଗ୍ରାମବାସୀଙ୍କ ବିରୋଧ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଥିବା ଏସାର୍‌ ଷ୍ଟିଲ୍‌ କମ୍ପାନୀ ୨୦୧୯ ମସିହାରେ ଆର୍ସେଲ୍‌ ମିତଲ୍‌ ନିପ୍ପନ୍‌ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର ହେବାପରେ ଏହାର ଟାଉନସିପ୍‌ ପାଇଁ ପାରାଦୀପଗଡ ପଂଚାୟତର ଚକ୍ରଧରପୁର ଠାରେ ଭୁମିପୂଜନ ଶେଷ ହୋଇଯାଇଛି । ତେବେ ଏହି ଭୂମି ପୂଜନକୁ ନେଇ ଚକ୍ରଧରପୁର ଗ୍ରାମବାସୀଙ୍କ ମଧ୍ୟରେ ଘୋର ବିରୋଧାଭାଷ ଦେଖାଦେଇଛି । ସେମାନଙ୍କର କହିବାକଥା କି, ଆମ ବାପଅଜା ଅମଳରୁ ପାରାଦୀପ ବନ୍ଦର ସାଗମାଛ ଦରରେ ଏହି ଜମି ନେଇଥିଲା । ତାପରେ ପାରାଦୀପ ବନ୍ଦର ଏହାକୁ ଏସାର କମ୍ପାନୀକୁ ବକ୍ରି କରିଦେଲା ଓ ଏବେ ଏହା ଆର୍ସେଲ୍‌ ମିତଲ୍‌ କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଏହା ଭିତରେ ଦିର୍ଘ ୬୦ବର୍ଷ ବିତି ଯାଇଥିଲେ ମଧ୍ୟ ଜମିହରାଙ୍କୁ ନିଯୁକ୍ତି ମିଳିନାହିଁ । ଅନ୍ୟପଟେ ଏହି ଜମିରେ ଗାଁର ଗୋରୁ, ଗାଈ ଚରିବାସହ ଗାଁ ପିଲାମାନେ ଏହାକୁ ଖେଳପଡିଆ ଭାବେ ବ୍ୟବହାର କରୁଛନ୍ତି । ଏହି ବାଟଦେଇ ଗାଁର ବର୍ଷାଜଳ ମଧ୍ୟ ନିଷ୍କାସନ ହୋଇଥାଏ । ତେଣୁ ଚକ୍ରଧରପୁରର ଗ୍ରାମ୍ୟ ସୁରକ୍ଷା କମିଟି ପକ୍ଷରୁ ଏକ ଦାବିପତ୍ର କମ୍ପାନୀର ସି.ଇ.ଓ.ଙ୍କୁ ଦେଇଛନ୍ତି । ମୁଖ୍ୟତଃ ଗ୍ରାମର ଶିକ୍ଷିତ ଯୁବକ/ଯୁବତୀ ମାନଙ୍କୁ କମ୍ପାନୀରେ ନିଯୁକ୍ତି, ଚକ୍ରଧରପୁର ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବା, ଗ୍ରାମକୁ ପାନିୟଜଳ ଯୋଗାଣ, ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଏବଂ ସ୍ଥାନିୟ ବେକାର ଯୁବକ ମାନଙ୍କୁ କମ୍ପାନୀର ଠିକାକାମ ଯୋଗାଇବା ଭଳି ୧୦ ଗୋଟି ଦାବି ରଖିଛନ୍ତି । ଦାବି ପୁରଣ ନହେଲେ ଏହାକୁ ତିବ୍ର ବିରୋଧ କରାଯିବାସହ କମ୍ପାନୀର କୌଣସି କାର୍ୟ୍ୟ କରାଇ ଦିଆଯିବ ନାହିଁ ବୋଲି ଚକ୍ରଧରପୁର ଗ୍ରାମର ହିମାଂଶୁ ପଣ୍ଡା, ସୁରେନ୍ଦ୍ର ବେହେରା ଓ ପ୍ରଭାସ ସାହୁ ଚେତାବନୀ ଦେଇଛନ୍ତି । ତେବେ ଉପସ୍ଥିତ ଅଧିକାରୀ ଓ ସ୍ଥାନିୟ ସରପଂଚ ଲୋକମାନଙ୍କୁ ବୁଝାସୁଝା କରିବାପରେ ସେମାନେ ଶାନ୍ତ ପଡିଥିଲେ । ଅନ୍ୟପଟେ କମ୍ପାନୀର ଏଚ.ଆର. ପି.କେ. ମହାନ୍ତୀ କହିଛନ୍ତି ଯେ, ଏସାର କମ୍ପାନୀରେ କାମ କରୁଥିବା ୧୭୫ଜଣ ରେଗୁଲାର କର୍ମଚାରୀଙ୍କ ମଧ୍ୟରୁ ୫୯ଜଣ ରେଗୁଲାର କର୍ମଚାରୀ ସ୍ଥାନିୟ ଯୁବକ/ଯୁବତୀ । ଏହାସହ ଅନେକ ସ୍ଥାନିୟ ଯୁବକ ମାନଙ୍କୁ ଠିକା କାମ ମଧ୍ୟ ଦିଆଯାଇଛି । ଆଗାମି ଦିନରେ ଆର୍ସେଲ୍‌ ମିତଲ୍‌ କମ୍ପାନୀ ଭବିଷ୍ୟତ ଉଜ୍ୱଳ ରହିଛି । ଏହି ପ୍ଲାଂଟ୍‌ କାର୍ୟ୍ୟକ୍ଷମ ହେଲେ ସ୍ଥାନିୟ ଯୁବକ/ଯୁବତୀ ମାନଙ୍କୁ ଯୋଗ୍ୟତା ଅନୁଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ ।

Leave A Reply

Your email address will not be published.