ଚାଷୀମାନଙ୍କର ଫସଲ ବୀମା କ୍ଷତିପୂରଣ ଦାବୀରେ ବିଜେପି ବରଗଡ ନିର୍ବାଚନ ମଣ୍ଡଳୀ ତରଫରୁ ତହସିଲ ଅଫିସ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବିଗତ ଖରିଫ ଋତୁ ୨୦୨୦- ୨୧ରେ ବରଗଡ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାରେ ନିଜସ୍ୱ ଧାନ ଚାଷକୁ ବୀମାଭୁକ୍ତ କରିଥିଲେ । ଜିଲ୍ଲାରେ ମରୁଡି ଏବଂ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ଯୋଗୁଁ ସେହି ବର୍ଷ ଚାଷୀମାନଙ୍କର ଫସଲ କ୍ଷତିଗ୍ରସ୍ତ ଭୋଇଥିଲା । ମିଳିତ କ୍ରପ କଟିଙ୍ଗ ରିପୋର୍ଟରେ ଏହା ପ୍ରମାଣିତ ହୋଇ ସାରିଛି । କିନ୍ତୁ ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଏଚଡିଏଫସି ଏଗ୍ରୋ କମ୍ପାନୀ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆଜି ପର୍ଯ୍ୟନ୍ତ ଫସଲ ବୀମା କ୍ଷତିପୂରଣ ପ୍ରଦାନ କରି ନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ କେନ୍ଦ୍ର ସରକାରଙ୍କ ବାରମ୍ବାର ପରାମର୍ଶ ସତ୍ୱେ ଓଡିଶା ସରକାର ସପୂର୍ଣ୍ଣ ଭାବେ ନିରବ ରହି ଏଚଡିଏଫସି ଏଗ୍ରୋ କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଣୁ ଓଡିଶା ସରକାରର ଏବଂ ଏଚଡିଏଫସି ଏଗ୍ରୋ କମ୍ପାନୀର ଚାଷୀ ବିରୋଧୀ ନୀତିକୁ ବିରୋଧ କରି ଗତକାଲି ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବରଗଡ ବିଧାନ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ ପାଇଁ ଏବଂ ଏଚଡିଏଫସି ଏଗ୍ରୋ କମ୍ପାନୀକୁ କଳା ତାଳିକାଭୁକ୍ତ କରିବା ପାଇଁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହି ଆନ୍ଦୋଳନ ସମୟରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଅକୁର ମଲ୍ଲିକ, ଅବନୀକାନ୍ତ ପଣ୍ଡା, ଅମିତ ପଣ୍ଡା, ଘନଶ୍ୟାମ ସାହୁ, ସୁଦାମ ମହାପାତ୍ର, ବାସୁଦେବ ବାରିକ, ଶୁକୃ ସାହୁ, ନିର୍ମଳ ପଧାନ, ଡୋଳାମଣୀ ସାହୁ, ବ୍ରଜ ନାୟକ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.