jayashree

ନରସିଂହଙ୍କ ନିଆରା ଷ୍ଟାଇଲ୍‌, ଫଇସଲା ଅନ୍‌ ଦି ସ୍ପଟ୍‌ : ତୁରନ୍ତ ଭତ୍ତା ପାଇଲେ ଭିନ୍ନକ୍ଷମ ବାବୁଲାଲ

ବଲାଙ୍ଗିର,(ଦେବାଶିଷ ମିଶ୍ର): ବିଭିନ୍ନ ଜନ ପ୍ରତିନିଧି ନିଜ ଅଂଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ବୁଝି ଥାଆନ୍ତି । ଲୋକଙ୍କ ସମସ୍ୟାର ପ୍ରକୃତ ସମାଧାନ ହେଉ ହେଉ ବର୍ଷ ପାଇଯାଏ । କିନ୍ତୁ ଆଜି ସଦର ବ୍ଲକ ସ୍ଥିତ ପଥରଚେପା ଗ୍ରାମ ପରିଦର୍ଶନ ସମୟରେ ଭିନ୍ନ ଏକ ଉଦାହରଣ ଦେଖିବାକୁ ମିଳିଛି । ବଲାଙ୍ଗିର ବିଧାୟକ ନରସିଂହଙ୍କ ନିଆରା ଷ୍ଟାଇଲ୍‌ , ଫଇସଲା ଅନ୍‌ ଦି ସ୍ପଟ୍‌ । ଫଳରେ ଅଭିଯୋଗ ଜଣାଇବା ତୁରନ୍ତ ପରେ ହିଁ ନିଜ ଭତ୍ତା ପାଇ ପାରିଛନ୍ତି ଭିନ୍ନକ୍ଷମ ବାବୁଲାଲ ମିର୍ଦ୍ଧା । ଏହି ଘଟଣା ପ୍ରଚାର ହେବାପରେ, ଯଦି ସମସ୍ତ ଜନପ୍ରତିନିଧୀ ପରିଦର୍ଶନ ସମୟରେ ଲୋକଙ୍କ କିଛି ସମସ୍ୟାର ଏଭଳି ତୁରନ୍ତ ସମାଧାନ ହୋଇପାରିଲେ ଲୋକେ ବେଶ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ସ୍ଥିତ ସଦାଇପାଲି ପଂଚାୟତର ପଥରଚେପା ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ପରିଦର୍ଶନରେ ଯାଇଥିଲେ । ସେହି ସମୟରେ ବାବୁଲାଲ ମିର୍ଦ୍ଧା ନାମକ ଏକ ଭିନ୍ନକ୍ଷମ ବ୍ୟକ୍ତି ବାରମ୍ବାର ଚେଷ୍ଟା ସତ୍ୱେ ବିକଳାଙ୍ଗ ଭତ୍ତା ପାଇ ପାରିନଥିବା ବିଧାୟକଙ୍କୁ ଅଭିଯୋଗ କରିଥିଲେ । ତାଙ୍କର ଅନୁରୋଧ କ୍ରମେ ବିଧାୟକ ଶ୍ରୀ ମିଶ୍ର ତତ୍‌କ୍ଷଣାତ ସାମଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ , ନିର୍‌ତାର ଡକ୍ତର ସୁରେନ୍ଦ୍ର ସାହୁଙ୍କୁ ଡକାଇ ବିକଳାଙ୍ଗ ବ୍ୟକ୍ତିଙ୍କୁ ସେହି ଜାଗାରେ ହିଁ ଉକ୍ତ ବ୍ୟକ୍ତି ସମସ୍ତ ପ୍ରକ୍ରିୟା ପୂରଣ କରିବା ସହିତ ତାଙ୍କ ପାଇଁ ଭତ୍ତା କାର୍ଡ ଏବଂ ଭତ୍ତା ରାଶି ବ୍ୟବସ୍ଥା କରିବା ପାଇଁ କହିଥିଲେ । ତେବେ କିଛି ସମୟ ମଧ୍ୟରେ ସମସ୍ତ ପ୍ରକ୍ରିୟା ପୁରଣ କରାଯିବା ପରେ ଭିନ୍ନକ୍ଷମ ବାବୁଲାଲଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ଜାନୁଆରି ମାସର ୫୦୦ଟଙ୍କା ବିଧାୟକ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ ।

ପରେପରେ ଲୋକଙ୍କ ଅଭାବ ଅସୁବିଧା ବୁଝିବା ପରେ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ଡାକି ଗାଁର ଲୋକେ କିଭଳି ସମସ୍ତ ପ୍ରକାର ସରକାରୀ ଯୋଜନା ଫଳ ପାଇପାରିବେ ସେ ଉପରେ ପଦକ୍ଷେପ ନେବାକୁ କହିଥିଲେ । ସେଠାରେ ଉପସ୍ଥିତ ଥିବା ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ମହାପାତ୍ରଙ୍କୁ ଗାଁରେ ରହୁଥିବା ଲୋକେ ଯେଉଁମାନଙ୍କ ବାସଗୃହ ନାହିଁ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରଜମିନ ତଦନ୍ତ ପରେ ଜଣା ପଡିଥିଲା ଗାଁର ସମସ୍ତ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି କିନ୍ତୁ ଅନେକ ଲୋକ ଆଜିବି ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ପାଇବାରୁ ବଂଚିତ ଅଛନ୍ତି । ଉପସ୍ଥିତ ଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ତାର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମିଶ୍ର କହିଥିଲେ । ଗାଁର ଆଜିପର୍ଯ୍ୟନ୍ତ ଗୋଟିଏ ବି ପରିବାର ସରକାରଙ୍କ ଗୁହାଳ ଯୋଜନାରୁ ଫାଇଦା ପାଇ ନ ପାରିବା ଦୁଃଖର ବିଷୟ ବୋଲି ଶ୍ରୀ ମିଶ୍ର କହିଥିଲେ । ଉପସ୍ଥିତ ଥିବା ପ୍ରକଳ୍ପ ନିର୍ଦ୍ଦେଶକ ବହୁତ ଶୀଘ୍ର ଗାଁରେ ଥିବା ପ୍ରତ୍ୟେକ ପଂଞ୍ଜିକୃତ ଗାଇ ଗୋରୁଙ୍କ ପାଇଁ ଗୁହାଳ ପାଇଁ ଅନୁଦାନ ପ୍ରଦାନ କରିବାକୁ ବିଡିଓ ତଥା ପଶୁ ଧନ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେମିତି ଏକ ବର୍ଷ ଭିତରେ ପଥରଚେପା ଗାଁ ଏକ ଆଦର୍ଶ ଗ୍ରାମ ହୋଇପାରିବ ଏଥି ପାଇଁ ଅଂଚଳର ବିଜୁଳି ବ୍ୟବସ୍ଥା, ପିଇବା ପାଣି ବ୍ୟବସ୍ଥା, ସମସ୍ତଙ୍କ ପାଇଁ ପକ୍କାଘର, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ, ବିକଳାଙ୍ଗ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାର ସୁନିଶ୍ଚିତ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ପଥରଚେପାବାସୀଙ୍କ ସହେଯାଗ କରିଥିବା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ଫକିର ମୋହନ ଥାଟି, ଏବିଡିଓ ରାମଦତ୍ତ ଭୋଇ, ପଂଚାୟତ ନିର୍ବାହୀ ଅଧିକାରୀ ସୈଳେନ୍ଦ୍ର ପଧାନ, କନିଷ୍ଠ ଯନ୍ତ୍ରୀ ରଶ୍ମିତା ମହାନ୍ତି, ଏଲ୍‌ଆଇ ମଧୁସୁଦନ ସାହୁ ପ୍ରମୁଖ ଉପସ୍ଥିତ ଥିବା ସୂଚନା ରହିଛି ।

Leave A Reply

Your email address will not be published.