ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦାଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା ମାଡ଼ ଅଭିଯୋଗ
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ । ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମଦ୍ୟପ ଦୁଇ କନେଷ୍ଟବଳ ହେଲେ ଜି ଉଦୟଗିରି ଥାନାରେ କାର୍ଯ୍ୟରତ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନି । ସୂଚନା ମୁତାବକ ଗତକାଲି ଅପରାହ୍ନ ୨ଟା ସମୟରେ ଜି. ଉଦୟଗିରି ସହରର ଶ୍ରୀରାମପଦା ଛକରେ ମଦ୍ୟପାନ କରି ଆସିଥିବା ଦୁଇ ପୋଲିସ କନେଷ୍ଟବଳ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନି ଡ୍ୟୁଟି ଶେଷ ପରେ ମଧ୍ୟ ସେମାନଙ୍କ ଉତ୍ପାତ ଚଳାଇଥିଲେ । ସକାଳ ୭ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଉଭୟଙ୍କ ଡ୍ୟୁଟି ସମୟ ହୋଇଥିଲେ ମଧ୍ୟ ଉଭୟ ମଦ୍ୟପାନ କରି ୨ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ । ଆଉ ଯାଞ୍ଚ ନାଁରେ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ନାଲି ଆଖି ଦେଖାଉଥିଲେ । ଏହି ସମୟରେ ସଚିତ କୁମାର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିବାରୁ ସ୍କୁଟି ଯୋଗେ ଔଷଧ ପାଇଁ ଆସିଥିଲେ । ହେଲେ ଉକ୍ତ କନେଷ୍ଟବଳ ଦୁଇଜଣ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ସ୍କୁଟି ପଛରେ ବସିଥିବା ଅନ୍ୟ ଜଣେ ନାବାଳକଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଖବର ପାଇ କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ । ଆଉ ଘଟଣା ସମ୍ପର୍କରେ ପଚାରିବାରୁ ଦୁଇ କନେଷ୍ଟବଳ ସାମ୍ବାଦିକମାନଙ୍କୁ ମଧ୍ୟ ନାଲି ଆଖି ଦେଖାଇବା ସହ ସେଠୁ ଚାଲି ଯାଇଥିଲେ । ଏନେଇ ଅସୁସ୍ଥ ସଚିତ କୁମାର ପୃଷ୍ଟି ଜି. ଉଦୟଗିରି ଥାନାରେ ଦୁଇ କନେଷ୍ଟବଳ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନିଙ୍କ ନାମରେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଗୋଟିଏ ପଟେ ପୁରୀ ବଡଦାଣ୍ଡରେ ଦାଦାଗିରି ଓ ଅନ୍ୟପଟେ ଗଜପତିରେ ନିଶାଶକ୍ତ ଅବସ୍ଥାରେ ଡ୍ୟୁଟି କରିବାକୁ ନେଇ ପୋଲିସ ପ୍ରଶାସନକୁ ଲୋକେ ସମାଲୋଚନା କରୁଛନ୍ତି । ଏପଟେ ଦୁଇ କନେଷ୍ଟବଳଙ୍କ ଦାଦାଗିରି । ଲକଡାଉନର ସୁଯୋଗ ନେଇ ଖାକିଧାରୀ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଦୁଇ କନେଷ୍ଟବଳଙ୍କ ବିରୁଦ୍ଧରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଜନସାଧାରଣ ଦେଖିବାକୁ ବାକି ରହିଲା ।