ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ । କିନ୍ତୁ ବିଦ୍ୟୁତ ଫାସରେ ବାରହା ବଦଳରେ ଏକ ହାତୀ ପଡ଼ିଥିବା ବେଳେ ଜାନୁଆରୀ ୫ ତାରିଖ ଦିନ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତଦନ୍ତ କରିବା ସମୟରେ ଏହି ତିନି ଜଣ ଶିକାରୀକୁ ଜେରା କରିବା ବେଳେ ବିଦ୍ୟୁତ ତାର ବିଛେଇବା ସହ ହାତୀର ମୃତ୍ୟୁ ପରେ ବି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ସତ ଓଗାଳିଥିଲେ । ଗିରଫ ତିନି ମୁଖ୍ୟ ଅଭିଯୁକ୍ତ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର (୭୬) ବୃଷଭ ପାତ୍ର (୪୪)ଓ ଗୋକୁଳ ପାତ୍ର (୪୧) । ପୂର୍ବରୁ ଫେବୃଆରୀ ୪ ତାରିଖରେ ଝିରିପାଣି ଅଞ୍ଚଳର ଅନ୍ୟ ୩ ଶିକାରୀକୁ ଗିରଫ କରିବା ସହ ତିନି ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ, ସିଂହ ସମେତ ବନ୍ୟ ଜୀବଜନ୍ତୁଙ୍କ କଙ୍କାଳ ଆଦି ଜବତ କରିଥିଲା ବନ ବିଭାଗ । ତେବେ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଏଯାବତ ଛଅ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ହାତୀ ମୃତ୍ୟୁ ପରେ ଘଟଣାକୁ ଚପେଇଦେବାକୁ ଉଦ୍ୟମ କରି ହାତୀ ମୃତ ଶରୀରକୁ ୩୨ଖଣ୍ଡ କରି କାଟି ମାଟି ତଳେ ପୋତି ଦେଇଥିବା ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଥିବା ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଫେରାର ଡେପୁଟି ରେଞ୍ଜରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । ସେହିପରି ତଦନ୍ତ ରିପୋର୍ଟକୁ ଚପେଇଦେବା ନେଇ ଏସିଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ତଦନ୍ତକାରୀ ଅଧିକାରୀ ତଥା ଏସିଏଫ୍ ମନୋରଞ୍ଜନ ବାଗ ପ୍ରକାଶ କରିଛନ୍ତି ।