om academy

ପବନ ବେଗ ଯୋଗୁଁ ଭାଙ୍ଗି ଯାଇଛି ଧାନ ଗଛ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କେତେବେଳେ ମରୁଡି, କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଛି ଛାଷୀ ମୁଣ୍ତୁରେ । ଏହି ସବୁ ସହି ନିଜର ବିଲରେ ଧାନ ଅମଳ କରିଥାଏ ଚାଷୀ । ହେଲେ ନିଜ ଆଖି ଆଗରେ ଫସଲ ନଷ୍ଟ ହେବାର ଦୃଶ୍ୟ ଯେ କେତେ ପୀଡାଦାୟକ ତାହା କେବଳ ଚାଷୀ ହିଁ ବୁଝି ପାରିବା । ବରଗଡ ଜିଲ୍ଲା ଓଡିଶାର ଭାତ ହାଣ୍ତି ହୋଇଥିବା ବେଳେ ପଦ୍ମପୁର ଉପଖଣ୍ତ ଏହାର ଏକ ଅବହେଳିତ ଅଂଶ । ପ୍ରତି ବର୍ଷ ପ୍ରାୟ ଅଞ୍ଚଳରେ ଚାଷୀଙ୍କ ମୁଣ୍ତରେ ଦାଉ ସାଧିଥାଏ ବିଭିନ୍ନ ପ୍ରକାର ସମସ୍ୟା । ଏହାର ଭୌଗଳିକ ସ୍ଥିତି ଯୋଗୁଁ ଏହା ଏକ ମରୁଡି ପ୍ରବଣ ଅଂଚଳ । ହେଲେ ଏ ବର୍ଷ ଭଲ ବର୍ଷା ହୋଇଥିଲା ।

କ୍ଷେତରେ ଚାଷୀର ପରିଶ୍ରମର ପାଉଣା ବର୍ଷସାରାର ଶ୍ରମ ଫସଲ ରୂପରେ ଦୋଳି ଖେଳୁଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଏବଂ ଅଧିକ ବେଗରେ ପବନ ବହିବା ଯୋଗୁଁ ଧାନ ଗଛଗୁଡିକ ଭାଙ୍ଗି ବିଲରେ ପଡି ଯାଇଛି । ଆଉ କେତେକ ଜାଗାରେ ଧାନ ଗଜା ହେବାକୁ ବସିଲାଣି । ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ ।

ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ କନସିଂହା, ଚାରପାଲି, ଡୁଙ୍ଗରିପାଲି, ବରିହାପାଲି ଏବଂ ଜମଲା ପଂଚାୟତରେ ଏହି ପରି ଅବସ୍ଥା ଥିବା ବେଳେ ପାଇକମାଲ ଏବଂ ଝାରବନ୍ଧ ବ୍ଲକର ବିଭିନ୍ନ ଅଂଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପ୍ରତିବର୍ଷ ସବୁ ପ୍ରକାର ସମସ୍ୟାକୁ ସହି ନିଜର ଫସଲ ଅମଳ କରିଥାଏ ଚାଷୀ । ହେଲେ ଏ ବର୍ଷ ଭଲ ଫସଲ ଅମଳର ଆଶା ବାନ୍ଧି ଚାଷୀ ମୁହଁରେ ହସ ଫୁଟି ଥିବା ବେଳେ ବର୍ତ୍ତମାନ କିନ୍ତୁ ନିଜ ଫସଲକୁ ମାଟିରେ ମିଶି ଯାଉଥିବାର ଦେଖି ଭାଙ୍ଗି ପଡିଛି ଛାଷୀର ଉତ୍ସାହ । ସରକାର ସାହାୟ୍ୟ ନକଲେ ଚାଷରେ କରିଥିବା ଖର୍ଚ୍ଚ ଏବଂ ଧାର କରଜରୁ ମୁକ୍ତ ହେବ କେମିତି, ସେଇ ଚିନ୍ତାରେ ଚାଷୀ । ଅନ୍ୟପଟେ ପଦ୍ମପୁର କୃଷି ଅଧିକାରୀ କହିଛନ୍ତି ଫିଲ୍ଡ ସର୍‌ଭେ ହେବ ଏବଂ ଫସଲ ହାନୀ ରିପୋର୍ଟ ଅନୁଯାୟୀ ଚାଷୀମାନେ ନିଜର କ୍ଷତି ହୋଇ ଥିବା ଫସଲର ବୀମା ପାଇ ପାରିବେ ।

Leave A Reply

Your email address will not be published.