ଦଶହରାରେ ଅଘଟଣ : କାର୍‌ ଧକ୍କାରେ ଚାଲିଗଲା ଜୀବନ

  • ଜାତୀୟ ରାଜପଥ ଅବରୋଧ, ଲିଖିତ ପ୍ରତିଶୃତି ପରେ ସ୍ୱାଭାବିକ ହେଲା ରାସ୍ତା

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଦଶହରାରେ ଖୋର୍ଦ୍ଧା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପିଟିଲା କାର୍‌ । ସ୍କୁଟି ଚାଳକ ମୃତ, କାର୍‌ ଚାଳକ ଆହତ । ଜାତୀୟ ରାଜପଥ ଅବରୋଧ । ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହ ଶହ ଯାନବାହନ । ସ୍କୁଟି ଚାଳକ ଉପରେ ଚଢାଇ ବିଦ୍ୟୁତ୍ ଖୁମ୍ବକୁ ଧକ୍କାଦେଲା କାର୍‌ । ମୃତକ ଜଣକ ହେଲେ ଆଡେଣିଗଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ । ସୂଚନା ଅନୁଯାୟୀ, ଆଜି ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେଣିଗଡ଼ ଗଣେଶ ବଜାର ଛକରେ ଭୁବନେଶ୍ୱର ପଟୁ ଆସୁଥିବା (୨୪ବିଏଚ୍‌୨୫୨୧ଇ)ଏକ କାର୍‌ (ଓଡ଼ି ୨୭ଡ଼ି୧୭୫୭)ନଂ ଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ପାଇଁ ରାଜରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ହେବା ଫଳରେ ରାଜରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଭିଡକୁ ହଟାଇବାରେ ଚେଷ୍ଟା କରିଥିଲେ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ବିଡ଼ିଓ, ଅତିରିକ୍ତ ତହସିଲଦାର, ପୁରୁଣାକଟକ ଥାନା ଅଧିକାରୀ, ଜାତୀୟ ରାଜପଥ ଏସ୍‌ଡିଓ ପହଂଚି ପରିବାର ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ୪୮ ଘଣ୍ଟା ଭିତରେ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥଳରେ ହମ୍ପ, ଗ୍ରାମପାର୍ଶ୍ୱରେ ରେଳ ବିଭାଗରେ କାର୍ଯ୍ୟରତ ଜିଆର୍‌ ଠିକା ସଂସ୍ଥାକୁ ଧୂଳି ନଉଡିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ରାସ୍ତା ଉପରେ ପାଣି ପକାଇବା ପାଇଁ ତାଗିଦ, ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟି ସ୍ଵାଭାବିକ ହୋଇଥିଲା ।

Leave A Reply

Your email address will not be published.