ଗୁରୁଣ୍ଡା ନିକଟରେ ମେକ୍ସ ପିକ୍‌ଅପ୍‌ ଓ ବାଇକ ମୁହାମୁହିଁ ଧକ୍କା : ଯୁବକ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର ହଳଦୀ- ବଙ୍ଗୋମୁଣ୍ଡା ମଧ୍ୟବର୍ତ୍ତୀ ଗୁରୁଣ୍ଡା ହାଇସ୍କୁଲ ସମ୍ମୁଖ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ମେକ୍ସ୍ ପିକ୍ଅପ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୁରିବାହାଲ ଥାନା ଗଅଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପୂର୍ଣ୍ଣ କେତକିଙ୍କ ପୁଅ ଚକ୍ର କେତକି(୨୫) ନିଜ ବାଇକରେ ବଙ୍ଗୋମୁଣ୍ଡା ଯାଇ ଫେରୁଥିବା ବେଳେ ଅପର ପାର୍ଶ୍ୱରୁ ଟିଟିଲାଗଡ ପଟରୁ ଆସୁଥିବା ଏକ ମେକ୍ସ୍ ପିକଅପ୍ ସହ ଘଟଣାସ୍ଥଳରେ ମୁହାମୁହିଁ ଧକ୍କା ହୋଇଥିଲା । ବାଇକ୍ ସହ ଯୁବକ ଜଣକ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଟିଟିଲାଗଡ ଓ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୁରିବାହାଲ ଥାନା ପୁଲିସ ଏସ୍‌ଆଇ ଦନାର୍ଦନ ଓରାମଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.