ବଲାଙ୍ଗିର, (କେପିଏନ୍ଏସ୍) : କରୋନା ମହାମାରୀ ସମୟରେ ହସ୍ପିଟାଲ୍କୁ ରୋଗୀଙ୍କୁ ଆଣି ଭର୍ତ୍ତି କରୁଥିବା ପରିଜନଙ୍କୁ ଲାଗି ରହିଥିବା ଲକ୍ଡାଉନ୍ ସଟ୍ଡାଉନ୍ ଯୋଗୁଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଖାଇବାକୁ ମୁଠେ ପାଇବା ବି ସମୟ ସମୟରେ ବଡ଼ ମୁସ୍କିଲ୍ ହୋଇପଡ଼ୁଛି । ଏଭଳି ସମୟରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ‘ସିଏନ୍ସି’ର ଛାତ୍ରଛାତ୍ରୀମାନେ ଉତ୍ସାହପ୍ରଦ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ନିଜ ନିଜ ଭିତରେ ଚାନ୍ଦା କରି ଗରିବ ତଥା ଅସହାୟଙ୍କୁ ସହଯୋଗ କରିବା ପାଇଁ ସେମାନେ ଆଗେଇ ଆସିଛନ୍ତି । ଏଭଳି ମହାମାରୀ ସ୍ଥିତିରେ ପ୍ରତ୍ୟେକ ଦିନ ରୁଟି, ଡ଼ାଲି, ତରକାରୀ ବଂଟନ କରୁଛନ୍ତି ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ପରିସରରେ । ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ପରିଜନଙ୍କ ପାଇଁ ସିଏନ୍ସି କଲେଜ୍ର ଛାତ୍ରଛାତ୍ରୀଙ୍କ ଏଭଳି ପ୍ରଶଂସନୀୟ ପଦକ୍ଷେପ ବାସ୍ତବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଖାଦ୍ୟବଂଟନ କାର୍ଯ୍ୟକ୍ରମରେ ୟଶ ପୋପଟ, ପିୟୁଷ ଖେମ୍କା, ବୈଭବ ବେହେରା, ଦିଶା ଶର୍ମା, ସୁନନ୍ଦା ଅଗ୍ରୱାଲ, ସୋନାଲି ବେହେରା ପ୍ରମୁଖ ଛାତ୍ରଛାତ୍ରୀ ସାମିଲ୍ ଥିବା ଜଣାପଡ଼ିଛି ।