jayashree

ବଲାଙ୍ଗିର ଜିଲ୍ଲାରେ ଦାଦନ ଦୁଃଖ : ମୃତ୍ୟୁ ପରେ ବି ଘରକୁ ଫେରୁନାହିଁ ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହ, ପ୍ରଶାସନ ଚୁପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ ସାମଗ୍ରୀର ଆବଶ୍ୟକତା ରହିଛି । ପେଟ ପାଟଣା ଭରଣ ପୋଷଣ କରିବା ପାଇଁ ରୋଜଗାର ଆବଶ୍ୟକ ରହିଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଲୋକ ବେରୋଜଗାର । ଫଳରେ କାମ ଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ନିଷ୍ପତ୍ତି ନେଇ ଥାଆନ୍ତି ଗରିବ ଲୋକେ । ବଲାଙ୍ଗିର ଜିଲ୍ଲାରେ ଦାଦନ ଚାଲାଣ ନୁଆ କଥା ନୁହଁ । ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାଆନ୍ତି । ପୁଣି ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକ କେତେବେଳେ ଇଟାଭାଟିରେ ବନ୍ଧା ପଡ଼ିଥାଏ ତ ଆଉ କେତେ ବେଳେ ଅକଥନୀୟ ନିର୍ୟ୍ୟାତନା ଶିକାର ହୋଇଥାଏ । ଏଠାରେ ପ୍ରଶ୍ନ ଉଠେ ଯେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାୟିକା ତଥା ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ମାଟିର ପୁଅ ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଜିଲ୍ଲାରେ ଏବେ ଦାଦନ ଦୁଃଖ ନେଇ ଚାରିଆଡେ ଚର୍ଚ୍ଚା । ରାଜ୍ୟ ରାଜନୀତି ତଥା ପ୍ରଶାସନିକ କ୍ଷେତ୍ରରେ ସର୍ବୋଚ୍ଚ ପଦବୀରେ ରହିଥିବା ଦୁଇ ଜଣଙ୍କ ପ୍ରତି ସଭିଙ୍କ ନଜର କେନ୍ଦ୍ରୀଭୂତ ହେଉଛି ।ବଲା‌ଙ୍ଗିର ମାଟିରେ ଜାରି ରହିଥିବା ଏହି କଳ‌ଙ୍କିତ ଦାଦନ ଚାଲାଣ ପ୍ରଥାକୁ ରୋକିବା ଦିଗରେ କେବେ ଓ କାହା‌ଦ୍ୱାରା ବିଶେଷ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଲୋକେ ପ୍ର‌ଶ୍ନ କରୁଛ‌ନ୍ତି ।

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅଧୀନ ନୂଆମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଗତ କିଛି ମାସ ତଳେ ଘଟିଛି । ସୂଚନା ମତେ ନୂଆମୁଣ୍ତା ଗ୍ରାମର ସତ୍ୟବାନ ରାଜପଲିଆ(୪୮) ଦାଦନ ଖଟିବା ପାଇଁ ଟ୍ରେନ୍ ଯୋଗେ ହାଇଦ୍ରାବାଦ ଯାଉଥିବା ବେଳେ ଗତ ନଭେମ୍ବର ୧୮ ତାରିଖ କନ୍ନୁର ଷ୍ଟେସନ ପାଖାପାଖି ସମୟରେ ଅସାବଧାନତା ବଶତଃ ଟ୍ରେନ୍ ଉପରୁ ଖସି ପଡି ମୃତ୍ୟୁବରଣ କରିଥିଲେ । ତେବେ ମୃତ୍ୟୁ ବରଣ କରିବା ପରେ ତାଙ୍କ ମର ଶରୀର ତାଙ୍କ ଘରକୁ ଫେରି ନ ଥିବା ବେଳେ ଦାଦନ ସର୍ଦ୍ଦାରମାନେ ସେହି ଶରୀରକୁ ସେହି ସ୍ଥାନରେ ଛାଡି ଦେଇ ପଳାଇ ଯାଇଥିଲେ । କିନ୍ତୁ ଏବେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ପରିବାର ଲୋକେ । ସତ୍ୟବାନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।ସେଭଳି ବଲାଙ୍ଗିର ଜିଲ୍ଲାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତୁରେକେଲା ବ୍ଲକ ପଖନମୁଣ୍ଡା ଗାଁର ୨୦ ବର୍ଷୀୟା ଝିଅ ଜାମିନୀର ଏବେ ପତ୍ତା ମିଳୁନି । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସାଙ୍ଗରେ ଯାଇଥିବା ଶ୍ରମିକ ଫେରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି ଝିଅର ବାପା ଶୁକ୍ରୁ ମାଝୀ ଓ ଜେଜେବାପା ରେଞ୍ଜର ମାଝୀ । ଏପଟେ ଚାଳ କୁଡ଼ିଆ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ବିଧବା ମହିଳା । ପଖନମୁଣ୍ଡା ଗାଁର ଶୁକ୍ରୁ ମାଝୀ ଦିନମଜୁରିଆ । ସ୍ତ୍ରୀ, ୨୦ ବର୍ଷର ଝିଅ ଜାମିନୀ ଓ ତାଙ୍କ ବୁଢ଼ା ବାପା, ମା’ଙ୍କୁ ନେଇ ତାଙ୍କ ପରିବାର ଥିଲା । ନିହାତି ଗରିବ ଶୁକ୍ରୁ ନିଜ ବୁଢ଼ା ବାପା, ମା’ଙ୍କ ଦେଖାରଖା କରିବାକୁ ସମୟ ଦେଉଥିଲେ । ଏପଟେ ପରିବାରରେ ଦୁଇମୁଠା ଖାଇବା ଅଭାବ ହେଉଥିବାରୁ ୨୦ ବର୍ଷର ଝିଅ ଦାଦନ ସର୍ଦ୍ଦାର ବିରଞ୍ଚି ମାଝୀଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଯିବାକୁ ଘରୁ ଗୋଡ଼ କାଢ଼ିଥିଲା । ନିଜ ଗାଁର ତୁଲାରାମ ପରିବାର ସହ ଦାଦନ ଯାଇଥିଲା । ଗତ କିଛି ମାସ ତଳେ ତୁଲାରାମର ପରିବାର ଗାଁକୁ ଫେରିଥିଲେ । ହେଲେ ଜାମିନୀ ଆଉ ଗାଁକୁ ଫେରିନଥିଲା । ଝିଅ ସଂପର୍କରେ ପରିବାର ଲୋକ ପଚାରିବାରୁ ଦାଦନ ସର୍ଦ୍ଦାର ବିରଞ୍ଚି ଓ ତୁଲାରାମ ସେଠାରେ ତାର ମୃତ୍ୟୁ ହୋଇଥିବା କହିଥିଲେ । କୁହାଯାଇଛି, ତାଙ୍କ ଝିଅକୁ ନିର୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରି ବାପା, ଜେଜେବାପା ତୁରେକେଲା ଥାନାକୁ ଏତଲା ଦେବାକୁ ଯାଇଥିଲେ । ତୁରେକେଲା ଥାନା ପୁଲିସ ଆନ୍ଧ୍ରପ୍ରଦେଶର ଘଟଣା କହି ଏତଲା ଗ୍ରହଣ କରିନଥିଲା । ବାରମ୍ବାର ଦୌଡ଼ିଥିଲେ ବି ସେମାନେ କୌଣସି ସୁଫଳ ପାଇନଥିଲେ । ଶେଷରେ ନିରାଶ ହୋଇ ଝିଅକୁ ଝୁରି ଝୁରି ବାପା, ମା’ ସହ ଜେଜେବାପା, ଜେଜେମା’ କାନ୍ଦୁଥିଲେ । କିଛିଦିନ ପରେ ମାନସିକ ଚିନ୍ତାରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ବୁଢ଼ା ବାପା ରେଞ୍ଜର ମଧ୍ୟ ନାତୁଣୀ ଓ ପୁଅଙ୍କ ପାଇଁ ଚିନ୍ତାରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମୃତ ଶୁକ୍ରୁଙ୍କ ବିଧବା ସ୍ତ୍ରୀ ଚମ୍ପା ମାଝୀ, ମୃତ ରେଞ୍ଜରଙ୍କ ବିଧବା ସ୍ତ୍ରୀ ଖମେଲ ମାଝୀ ଘରେ ରହି ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ତେବେ ଏହି ଜିଲ୍‌ଲ୍ଲାରେ ଦାଦନ ଶ୍ରମିକ ଦୁଃଖ ପ୍ରତି ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ଚୁପ ଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.