ବୃଦ୍ଧଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ : ସାଧାରଣରେ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରି ବସ୍ତା ଲଦିଲା ପରି ବାଇକରେ ଲଦି ମରିଗଲେ ଭାବି ତାଲପଡା ନାଳକୁ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କିତ ଗୋଟିଏ ଭିଡ଼ିଓ ମଧ୍ୟ ଭାଇରଲ୍ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଗନ୍ନାଥ ଦାଶ (୬୦) କୌଣସି କାମରେ ନିକଟସ୍ଥ କୁଣ୍ଢୀପଦର ଗ୍ରାମକୁ ଯାଇଥିଲେ । ଅପରାହ୍ନ ୩ ଘଣ୍ଟା ସମୟରେ ସେ ଘରକୁ ଫେରିବା ସମୟରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ନଟୁ ଦାଶ, ତ୍ରିଲୋଚନ ଦାଶ, ନିତ୍ୟାନନ୍ଦ ବାରିକ, ସତ୍ୟ ବାରିକ, ସଦା ବାରିକ, ହରି ବାରିକ ଓ ରଘୁ ବାରିକ ଅଟକାଇ ଠେଙ୍ଗା, ଲୁହା ଛଡ ଓ ଟାଙ୍ଗିଆରେ ଆକ୍ରମଣ କରିଥିବା ଆଲୋଚନା ହେଉଛି । ତେବେ ଜଗନ୍ନାଥ ମରି ଯାଇଥିବା ଭାବି ତାଙ୍କୁ ବାଇକରେ ଲଦି ତାଲପଡା ଜୋର ପାଖରେ ଫିଙ୍ଗି ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ଆଣିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତାଙ୍କୁ ବାଇକରେ ବସ୍ତା ଭଳି ଲଦି ଗୋଡ ଘୋଷାଡ଼ି ଘୋଷାଡ଼ି ନିଆ ଯାଉଥିବା ଗୋଟିଏ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ବୃଦ୍ଧଙ୍କ ପ୍ରତି ଅମାନବୀୟ ଆଚରଣକୁ ସର୍ବ ସାଧାରଣରେ ନିନ୍ଦା କରାଯାଉଛି ।

Leave A Reply

Your email address will not be published.