ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ ଜେନା) : ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବା ଫଳରେ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ । ପ୍ରାଣ ହରାଇଛନ୍ତି ଗ୍ରାମର ପାଣ୍ଡବ ଦଳବେହେରା(୭୦) । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ ଟା ସମୟରେ ପାଣ୍ଡବ ଖଇନି ଖାଇବା ପାଇଁ ଘରେ ଖଇନି ପୁଡିଆ ଖୋଜିଥିଲେ । ଭୁଲବଶତଃ ଖଇନି ବଦଳରେ ସେ ଘରେ ଥିବା ଏକ ଉକୁଣି ମରା ଔଷଧ ଖଇନି ଭାବି ଖାଇ ଦେଇଥି‌ଲେ । ବାର୍ଦ୍ଧକ୍ୟ କାରଣରୁ ସେ ଖଇନି ଓ ଉକୁଣିମରା ଔଷଧ ମଧ୍ୟରେ ଫରକ ଜାଣି ପାରି ନଥିଲେ ବୋଲି ପରିବାର ଲ‌ୋକେ ପ୍ରକାଶ କରିଛନ୍ତି । ଏହି ଔଷଧ ଖାଇବା ପରେ ପାଣ୍ଡବ‌ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫଳରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଗତକାଲି ଅପରାହ୍ନରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପାଣ୍ଡବଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ତାରିସିଂ ଥାନାରେ ୨୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.