ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର
ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ବୈଦ୍ୟୁତିକ ସାମ୍ବାଦିକ ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଆଇନ ଓ ଗୃହ ବିଭାଗ ମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଅଧିକ୍ଷକଙ୍କୁ ସଂଘର ସଭାପତି ମନୋଜ କୁମାର ଜୈନଙ୍କ ନେତୃତ୍ଵରେ ଏକ ଦାବୀପତ୍ର ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କ ଜରିଆରେ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଂଚାୟତରେ କରୋନା କ୍ୱାରେନ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ଦୁଇ ହଜାର ଟଙ୍କା ନ ମିଳିବା ଓ ଦୁର୍ନୀତି ଉପରେ ବୈଦ୍ୟୁତିକ
କଣ୍ଟାବାଞ୍ଜି ପ୍ରତିନିଧି ଶ୍ରୀ ପାଣିଗ୍ରାହୀ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ରାମୋଡ ଗ୍ରାମକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ରାମୋଡ ଗାଁରେ ଖବର ସଂଗ୍ରହ ବେଳେ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ ଅନ୍ୟମାନେ ମାଡପିଟ କରିବା ସହିତ କ୍ୟାମେରା, ବୁମକୁ ଭାଙ୍ଗି ଦେଇଥିଲେ । ଏପରିକି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବା ପାଇଁ ଧମକ ଦେବା ମଧ୍ୟରେ ରାମୋଡ ଗାଁର କିଛି ବ୍ୟକ୍ତି ପାଣିଗ୍ରାହୀଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଏହା ପରେ ତୁରେକେଲା ପୋଲିସ ରାମୋଡ ଗ୍ରାମକୁ ଯାଇ ଅନ୍ତିମକୁ ଉଦ୍ଧାର କରିଥିଲେ । ଏହା ଉପରେ ଅନ୍ତିମ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତୁରେକେଲା ଥାନା କେସ ନଂ.୦୨୨୩/୨୦୨୦ ଦଫା ୩୪୧,୨୯୪,୩୨୩,୫୦୬/୩୪ ଆଇପିସି ଏକ ମାମଲା ରୁଜୁ କରିଛନ୍ତି । ଅନ୍ୟ ପକ୍ଷରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଗତ ବର୍ଷ ବିଧାନସଭା ପ୍ରଶ୍ନୋତ୍ତରରେ ସାମ୍ବାଦିକମାନଙ୍କ ସୁରକ୍ଷା ଦାବୀକୁ ସ୍ୱାଗତ କରି ଯଥାଶୀଘ୍ର ଏହାକୁ କାର୍ୟ୍ୟକାରୀ କରିବା ପାଇଁ ସଂଘ ଦାବୀ କରିବା ସହ ସଂଘର ସମସ୍ତ ସଭ୍ୟ ଏପରି ଘଟଣାର ନିନ୍ଦା କରିଥିଲେ ।