ସିଂଗାଲପଡା ପୋଖରୀରୁ ଜବର ଦଖଲ ଉଛେଦ ଦାବୀ ନେଇ ପଡାବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ : ପୋଖରୀର ଡିମାରକେସନ୍‌ ପାଇଁ ତହସିଲଦାରଙ୍କ ପ୍ରତିଶୃତି ପରେ ବିକ୍ଷୋଭରୁ ଓହରିଲେ ପଡାବାସୀ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନ୍‌ଏସିର ୱାର୍ଡ ନଂ.୧୨ ଓ ୧୩ ସିଂଗାଲପଡାରେ ଥିବା ସରକାରୀ ପୋଖରୀକୁ କେତେକ ବ୍ୟକ୍ତି ଜବର ଦଖଲ କରି ଘର ନିର୍ମାଣ କରୁଛନ୍ତି । ଜବର ଦଖଲ କରିବା ଦ୍ୱାରା ପୋଖରୀ ସର୍ବସାଧାରଣଙ୍କ ବ୍ୟବହାର ଅନୁପଯୋଗୀ ହେବାରୁ ଜବର ଦଖଲ ଉଛେଦ ପାଇଁ ଦୁଇ ପଡାବାସୀ ଗୁରୁବାର ଦିନ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏପରିକି ଜବର ଦଖଲକାରୀଙ୍କୁ ପୋଖରୀରୁ ଉଛେଦ ଦାବୀ କରିଛନ୍ତି । ପ୍ରକାଶ ଥାଉ କି ସରକାରୀ ରକ୍ଷିତ ଜମିରେ ଥିବା ପୋଖରୀ ସର୍ବ ସାଧାରଣଙ୍କ ପାଇଁ ରହିଛି । ଏହି ଜବର ଦଖଲକୁ ଊଛେଦ ପାଇଁ ୨୪ ତାରିଖ ବୁଧବାର ତହସିଲଦାର ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ । ଏହା ପରେ ଜବର ଦଖଲକାରୀମାନେ ବଳ ପୂର୍ବକ ଦୁଇ ପଡାବାସୀଙ୍କ ସହ ଗଣ୍ଡଗୋଳ କରିବାରୁ ମାମଲା ଥାନା ଯାଏଁ ଯାଇଥିଲା । ଏହା ପରେ ପୋଖରୀର ଡିମାରକେସନ୍‌ କରି ଜମି ଚିହ୍ନଟ କରି ସର୍ବ ସାଧାରଣ ବ୍ୟବହାର ପାଇଁ ସଂରକ୍ଷିତ ରଖିବା ନେଇ ଦୁଇ ପଡାର ଶତାଧିକ ମହିଳା ପୁରୁଷ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । କଂଟାବାଂଜି ପୋଲିସ ଆଇଆଇସି. ସତ୍ୟଜିତ କନ୍ଦନକେଲ ଏବଂ ତହସିଲଦାର ଅଶୋକ କୁମାର ମାଝିଙ୍କ ହସ୍ତକ୍ଷେପ ସହ ଜମି ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ କରିବାର ପ୍ରତିଶ୍ରୁତି ପରେ ବିକ୍ଷୋଭକାରୀ ଓହରିଥିଲେ । ଏହି ବିକ୍ଷୋଭରେ ପଡାର ବିଷ୍ଣୁ ପ୍ରସାଦ ବେହେରା, ହରିବନ୍ଧୁ ସିପକା, ସୁଧୀର ବେହେରା, ଜିତୁ ବେହେରା, ଅକମ୍ବର ବେହେରା, ଲାଲ ବାଗ, ଜଗତରାମ ତାଣ୍ଡି ସହ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ ।

Leave A Reply

Your email address will not be published.