ଯୁବ ସମାଜସେବୀଙ୍କ ଟ୍ୱିଟ ପରେ ବିଦ୍ୟୁତ ବିଭାଗର ତତ୍ପରତା

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରୀ ପଞ୍ଚାୟତ ମେଳକଯୁବା ଗାଁକୁ ଯିବା ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟକୁ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କାହାର ନଜର ପଡୁନଥିଲା । ତେବେ ବହୁତ ବର୍ଷା ହେବା ଫଳରେ ଖୁଣ୍ଟଟି ପଡିଯାଇଥିଲା । ଏହି ରାସ୍ତାରେ ଯାଉଥିବା ପଥଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖୁଣ୍ଟଗୁଡାକ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ନୂତନ ଖୁଣ୍ଟ ପୋତିବାକୁ କହିଥିଲେ ମଧ୍ୟ କେହି ଶୁଣିନଥଲେ । ବିଦ୍ୟୁତ ଖୁଣ୍ଟ ଉପଡି ପଡିବାରୁ ସିଙ୍ଗାରୀ ପଞ୍ଚାୟତର ୩ଟି ଗାଁ ଓ ନିୟମଗିରି ପାହାଡ଼ର ପାର୍ସଲି ପଞ୍ଚାୟତର ୬ଟି ଗାଁ ସହ ୯ଟି ଗାଁ ଅନ୍ଧାରରେ ରହୁଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରକୁ ଯୁବ ସମାଜସେବୀ ଯଶୋବନ୍ତ ରଣା ଟାଟା ପାୱାର, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଶକ୍ତି ବିଭାଗ ସହ ରାୟଗଡା ଜିଲ୍ଲାପାଳଙ୍କୁ ଏକ ଟ୍ୱିଟ କରିଥିଲେ । ଅଭିଯୋଗ ପରେ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇଥିଲା ଶକ୍ତି ବିଭାଗ । ତୁରନ୍ତ ମରାମତି କରି ନୂତନ ଖୁଣ୍ଟ ପୋତି ବିଦ୍ୟୁତ ଦେବାକୁ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିଦ୍ୟୁତ ବିତରକ ନିର୍ଦେଶ ଦେଇଥିଲେ । ଏହାପରେ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିଦ୍ୟୁତ ବିତରକ ସମସ୍ତ କାର୍ଯ୍ୟ ସାରି ନଅଟି ଗାଁକୁ ଗତ ୪ ତାରିଖ ଦିନ ବିଦ୍ୟୁତ ଦେଇଛନ୍ତି । ଗାଁରେ ବିଦ୍ୟୁତ ଜଳିଥିବାରୁ ଗାଁରେ ଆନନ୍ଦ ଖେଳିଯାଇଛି ଓ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇବା ସହ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.