ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଉପାନ୍ତ ଗାଁ ବେନିଆଁଚାଲର ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ମଙ୍ଗଳବାର ରାତିରେ ତାଙ୍କର ପରଲୋକ ହୋଇ ଯାଇଥିଲା । ସେ ଏହି ବ୍ଲକର ଅବିଭକ୍ତ ପଥର୍ଲା ପଞ୍ଚାୟତର ସରପଂଚ ଭାବେ ବିଗତ ଦିନରେ ନିର୍ବାଚିତ ହୋଇ ବହୁ ଜନକଲ୍ୟାଣ ମୂଳକ କାର୍ୟ୍ୟ କରି ସୁନାମ ଅର୍ଜନ କରିଥିଲେ । ପଥର୍ଲା ତଥା ନବଗଠିତ ବେନିଆଁଚାଲ ପଞ୍ଚାୟତର ବିଭିନ୍ନ ଶିକ୍ଷା, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହିତ ଓତପ୍ରୋତ ଭାବେ ଜଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର, ପୁତ୍ରବଧୂ, ନାତିନାତୁଣୀ ଉପସ୍ଥିତ ଥିଲେ । ସେ ଥିଲେ ଜଣେ ନିରଳସ, ନିଃସ୍ୱାର୍ଥପର ସମାଜସେବୀ । ତେଣୁ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଗାଁର ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ସଦସ୍ୟ କୋଭିଡ ନିୟମ ପାଳନ କରି ତାଙ୍କର ଶବାଧାରରେ ସାମିଲ୍ ହୋଇଥିଲେ । ଜ୍ରେଷ୍ଠପୁତ୍ର ଅଶ୍ବିନୀ ପଟେଲ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.