କ୍ଷତି ପୂରଣ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପ୍ରତି ବର୍ଷ ପ୍ରାୟ ଅଂଚରେ ଚାଷୀଙ୍କ ମୁଣ୍ଡରେ ଦାଉ ସାଧିଥାଏ ବିଭିନ୍ନ ପ୍ରକାର ସମସ୍ୟା । ଏହାର ଭୌଗଳିକ ସ୍ଥିତି ଯୋଗୁଁ ଏହା ଏକ ମରୁଡିପ୍ରବଣ ଅଂଚଳ । ହେଲେ ଏ ବର୍ଷ ଭଲ ବର୍ଷା ହୋଇଥିଲା । କ୍ଷେତରେ ଚାଷୀର ପରିଶ୍ରମର ପାଉଣା ବର୍ଷସାରାର ଶ୍ରମ ଫସଲ ରୁପରେ ଦୋଳି ଖେଳୁଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଏବଂ ଅଧିକ ବେଗରେ ପବନ ବହିବା ଯୋଗୁଁ ଧାନଗଛ ଗୁଡିକ ଭାଙ୍ଗି ବିଲରେ ପଡିଟାଇଛି । ଏ ନେଇ ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ସର୍ଗିବାହାଲ ପଂଚାୟତର ସର୍ଗିବାହାଲ, ଢୋଲବନ୍ଧ, ବିଶିପାଲି, ପାଂଚଭାୟା, ଇଚ୍ଛାପାଲି, ପଣ୍ଡରୀପାନି ଆଦି ଗ୍ରାମର ଚାଷୀମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିବା ସହ ଧାନବିଲର ଅବସ୍ଥା ଜଣାଇଥିଲେ । ଧାନ କେଣ୍ଡାର ଅବସ୍ଥା ଦେଖାଇବା ସହ ଫସଲ ଅମଳ ସମୟରେ ପ୍ରକୃତିର ତାଡ଼ନା ଯୋଗୁଁ ନଷ୍ଟ ହୋଇ ଯାଇଥିବା ଫସଲର କିପରି ଉଚିତ କ୍ଷତି ପୁରଣ ପାଇ ପାରିବେ, ସେ ନେଇ ଉପଜିଲ୍ଲାପଳଙ୍କ ଠାରେ ଚାଷୀମାନେ ଦାବୀ କରିଥିଲେ । ଅନ୍ୟପଟେ କୃଷି ବିଭାଗକୁ ଏ ସମ୍ବନ୍ଧରେ ଅବଗତ କରାଯିବା ସହ କ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସର୍ଭେ ପରେ ଫସଲ ହାନୀ ରିପୋର୍ଟ ଅନୁଯାୟ ଚାଷୀମାନେ ଉଚିତ କ୍ଷତିପୂରଣ ପାଇ ପାରିବେ ବୋଲି ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.