ବାରମ୍ବାର ଦୋକାନ ବଜାର ସିଲ କୁ ନେଇ ବଣିକ ସଂଘର ଅସନ୍ତୋଷ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କରୋନାକୁ ପ୍ରତିହତ ପାଇଁ ସବୁବେଳେ ସଟଡାଇନ ଲକଡାଉନ ଲାଗି ରହିଛି । ଯାହଫଳରେ ଦୋକାନ ବଜାର ବନ୍ଦ କରିବାକୁ ଦୋକାନୀ ମାନେ ବାଧ୍ୟ ହେଉଛନ୍ତି । ବାରମ୍ବାର ଏଭଳି ବନ୍ଦ ହେବା କାରଣରୁ ବର୍ତ୍ତମାନ ଦୋକାନୀ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେବେ କରୋନା କଟକଣା ନିୟମକୁ ମାନି ଦୋକାନୀ ଭାଇମାନେ ଯେଉଁ ଦୁଇ ଚାରି ଦିନ ଦୋକାନ ଖୋଲୁଛନ୍ତି, ସେଥିରେ ନିଜ ବ୍ୟବସାୟକୁ ସ୍ଥିର ରଖିବାକୁ ଉଦ୍ୟମ କରୁଥିବା ବେଳେ ପାଟଣାଗଡ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ବିଭିନ୍ନ ଆଳ ଦେଖାଇ ଦୋକାନଗୁଡିକୁ ସିଲ୍ କରୁଛନ୍ତି । ଏପରିକି କେତେ ଦିନ ସିଲ କରାଯିବ, ସିଲ୍ କରିବାର କାରଣ ବିଷୟରେ ମଧ୍ୟ ଦୋକାନୀଙ୍କୁ ଅବଗତ କରୁ ନାହାନ୍ତି । ଏଭଳି ଦୁର୍ଦିନ ସମୟରେ ପାଟଣାଗଡରେ କେବଳ ଦୋକାନୀମାନଙ୍କୁ ସାମାଜିକ ଦୁରତା ବଜାୟ ନ ରଖିବା ଜଣାଇ ଦୋକାନ ବନ୍ଦ କରୁଥିବା କାରଣରୁ ଅନେକ ଦୋକାନୀ ଚିନ୍ତାରେ ଅଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ବ୍ୟାଙ୍କ , କଚେରୀ , ଆହାର କେନ୍ଦ୍ର , ଏନଏସି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଭିଡକୁ ନଦେଖି କେବଳ ଦୋକାନୀଙ୍କ ଉପରେ ଏଭଳି ଆକୋ୍ରଶ ମୂଳକ ପଦକ୍ଷେପ ନେଉଥିବା ପାଟଣାଗଡ ବଣିକ ସଂଘ ଅଭଗେଯାଗ କରିଛି । ଆଗକୁ ନୂଆଁଖାଇ ଥିବା ବେଳେ ବାରମ୍ବାର ଏଭଳି ସିଲ୍ କରିବା ଦ୍ୱାରା ବ୍ୟବସାୟୀମାନେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା କାରଣରୁ ଏବଂ ଆର୍ଥକି ପରିସ୍ଥିତି ଦୁର୍ବଳ ହେଉଥିବା କାରଣରୁ ନୂଆଁଖାଇ ସମୟରେ ଦୋକାନ ବଜାର ଖୋଲା ରଖିବାକୁ ଅନୁମତି ଦେବା ପାଇଁ ମଧ୍ୟ ସଂଘ ପ୍ରଶାସନ ପାଖରେ ଅନୁରୋଧ କରିଛି । ଯଦି କରୋନା ବ୍ୟାପିବାର ଆଶଙ୍କା ରହିଛି ତାହେଲେ ପାଟଣାଗଡ ସହରର ସମସ୍ତ ଦୋକାନ ବଜାର , ସରକାରୀ କାର୍ଯ୍ୟାଳୟ, ଆହାର କେନ୍ଦ୍ର, ପରିବା ବଜାର ବ୍ୟାଙ୍କକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛି ପାଟଣାଗଡ ବଣିକ ସଂଘ । ପାଟଣାଗଡ ଉପଜିଲ୍ଲାପାଳଙ୍କ ଠାରେ ଦାବୀ ଉପସ୍ଥାପନା କରିବା ସମୟରେ ସଭାପତି ରାଜେଶ ମେହେରଙ୍କ ସହ ଉପ ସଭାପତି ମନୋଜ କୁଦେଇ, ପ୍ରଫୁଲ୍ଲ ମେହେର, ବିଶ୍ୱଜିତ ପଣ୍ଡା, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.