ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ଘୋଷିତ

କୋଉଠି ଯଦି ବାଲ୍ୟ ବିବାହ ହେଉଥିବା ଖବର ଦେଲେ ଉକ୍ତ ବ୍ୟକ୍ତିଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠାନିକ ଭାବେ ଘୋଷଣା କଲେ । ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସାଧୁବାଦ ସହ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାରେ “ନିର୍ଭୟା କଢ଼ି” ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଙ୍ଗନବାଡିକର୍ମୀ, ଆଶାକର୍ମୀ ଏବଂ ସହାୟିକାମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ସେହି କମିଟିର ସର୍ଭେ ରିପୋର୍ଟକୁ ଆଧାର କରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟା ସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପୋର୍ଟ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସକାଶେ ଉପସ୍ଥାପନ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪ ହଜାର ୪ ଶହ ୨୨ ଗୋଟି ବୈଠକ ହୋଇଛି । ନିର୍ଭୟାକଢ଼ି ଯୋଜନା କାର୍ଯ୍ୟକାରୀ ପରେ ୨୦୧୯ ମସିହାରେ ୪୫ ଗୋଟି, ୨୦୨୦ ମସିହାରେ ୨୨୮ ଗୋଟି ଏବଂ ୨୦୨୧ ମସିହାରେ ୨୦୧ ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ ଗୋଟି ଶିଶୁ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ । ଏହି ବାଲ୍ୟବିବାହ ମୁକ୍ତ ଘୋଷଣା ସମୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ସୁବୋଧ କୁମାର ଷଢଙ୍ଗୀ, ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.