ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବୀରମହାରାଜପୁର ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବ୍ଲକ ଅନ୍ତର୍ଗତ ସମସ୍ତ ୧୫ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲା ତଥା ବ୍ଲକ ସ୍ତରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କରେ ଉପସ୍ଥିତ ସରପଞ୍ଚଙ୍କ ସହ ବିଶେଷ ଆଲୋଚନା କରି ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି/ ସରପଞ୍ଚମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି । ଏହା ସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଅଣାଯିବ ତା ଉପରେ ଗୁରୁତ୍ୱାରୋପ କରି ସବୁ ସ୍ତରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବା ସହ ପ୍ରତିମାସ ନିଜ ପଞ୍ଚାୟତରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି ପୁନଶ୍ଚ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହେଉଥିବା ପ୍ରତିଟି ବିବାହର ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ରଖିବା ସହ ନିଜ ପଞ୍ଚାୟତ ସ୍ତରରେ ଗ୍ରାମର ବିବାହ କର୍ମ କର୍ମାଣି କରୁଥିବା ପଣ୍ଡିତ, ତଥା ଅନ୍ୟ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସହିତ ସଚେତନତା ବୈଠକ କରି ଏହି ମହତ କାର୍ଯ୍ୟରେ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟ ବିବାହର ଆଇନଗତ ଦିଗ ଓ ଶିଶୁ ଯୌନ ନିର୍ଯାତନା ଅଧୀନରେ ଆସୁଥିବା ଦଣ୍ଡ ବିଧାନ ଉପରେ ଆଲୋକପାତ କରି ସରପଞ୍ଚମାନଙ୍କ ସହଯୋଗରେ ପ୍ରଶାସନ ବାଲ୍ୟବିବାହକୁ ଜିଲ୍ଲା ତଥା ବ୍ଲକରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି କହିବା ସହ ବାଲ୍ୟ ବିବାହର ନିରାକରଣରେ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କ ଆବଶ୍ୟକତା ଓ ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଜିଲ୍ଲାର ବାଲ୍ୟ ବିବାହ କମୁଥିବା ବେଳେ କିଶୋରୀ ମାତୃତ୍ୱ ଏକ ଆହ୍ୱାନ ହୋଇଛି । କିଶୋରୀ ମାତୃତ୍ୱ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ କଡାଆଭିମୁଖ୍ୟ ଗ୍ରହଣ ପୂର୍ବକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ଆଗାମୀ ଦିନରେ ଏହାର ପୁନରାବୃତ୍ତିକୁ ବରଦାସ୍ତ କରାଯିବନାହିଁ ବୋଲି ସୂଚୀତ କରି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀକୁ କଡା ଚେତାବନୀ ଦେଇଛନ୍ତି । ଏହି ବୈଠକରେ ରେ ପିଡିଡିଆରଡିଏ, ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମଧୁ ସୁଦନ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସିଡିପିଓ, ସୁପରଭାଇଜର ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ, ଜିପିଇଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ନିଜ ନିଜ ସ୍ତରରେ ସଶକ୍ତ ଭାବେ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉପରେ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.