om academy

ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜରୁରୀକାଳୀନ ବୈଠକ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା କେବେ ? ଟିଟିଲାଗଡ଼ବାସୀ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ବଲାଙ୍ଗିର ଜିଲ୍ଲାର ସର୍ବବୃହତ୍ ସବ୍‌ଡିଭିଜନ ତଥା ଆୟତନ ଅନୁସାରେ ଜିଲ୍ଲା ହେବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଆଜି ଯାଏଁ ଜିଲ୍ଲାର ମାନ୍ୟତା ରାଜ୍ୟ ସରକାର ଦେଇ ନାହାନ୍ତି । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ପୂର୍ବରୁ ବହୁତ ଧାରଣା, ବନ୍ଦ ଡାକରା ଦିଆଯାଇଥିବା ବେଳେ ଟିଟିଲାଗଡ ବ୍ଲକ ଗସ୍ତରେ ଆସିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ଦିଗରେ ବିଚାର କରିବି ବୋଲି ଘୋଷଣା କରିଥିଲେ । ତା’ପରେ ଜିଲ୍ଲା ଦାବୀରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା । ଏକ ଟିମ୍‌ ଭୁବନେଶ୍ୱରକୁ ଯାଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସେତେବେଳେ ବି ଆଇ ୱିଲ ଏଗଜାମିନ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ତା’ପରେ ବି ଜିଲ୍ଲା ଘୋଷଣା କଲେ ନାହିଁ । ପଦ୍ମପୁର ଉପନିର୍ବାଚନ ସମୟରେ ପଦମପୁରକୁ ଡିସେମ୍ବର ୨୦୨୩ ସୁଦ୍ଧା ଜିଲ୍ଲା କରାଯିବ କହିଲା ବେଳେ ବି ଟିଟିଲାଗଡ କଥା ଭୁଲିଗଲେ । ତେବେ ପୁଣି ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇଥିଲା । ଟିଟିଲାଗଡର ବିଧାୟିକା ତଥା କେବିନେଟ୍ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏକ ଦାବୀପତ୍ର ଦେଇ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଯଥା ଶୀଘ୍ର ଜିଲ୍ଲା ଘୋଷଣା କରନ୍ତୁ ବୋଲି କହିଥିଲେ ।

କିଛି ଦିନ ପୂର୍ବେ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀରେ କଣ୍ଟାବାଞ୍ଜି ବନ୍ଦ କରାଯାଇଥିଲା, ଏହା ଜାଣିବା ପରେ ରବିବାର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁ ଏବଂ ସମ୍ପାଦକ ମହେଶ ମହାନ୍ତିଙ୍କ ସଭାପତିତ୍ୱରେ ଓକିଲ ସଙ୍ଘ ସଭା ଗୃହରେ ଟିଟିଲାଗଡ ସହରର ବିଭିନ୍ନ ଅନୁଷ୍ଠାନ, ସଙ୍ଘ, ସମସ୍ତ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାସକ ବିଜେଡି ଦଳ ତରଫରୁ କୁହାଯାଉଛି ଯେ, ଆଗାମୀ ଦିନରେ ଟିଟିଲାଗଡ ଜିଲ୍ଲା ନିଶ୍ଚୟ ହେବ । ବିରୋଧୀ ତଥା ଅନ୍ୟ ଲୋକମାନଙ୍କ ଗୋଟିଏ କଥା ଯେ, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ କଥା ରହୁନି ତା’ହେଲେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ କଥାରେ କେମିତି ବିଶ୍ୱାସ କରିହେବ ? ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ସାହୁ ବିଭିନ୍ନ ସଭାରେ କହୁଛନ୍ତି, ଟିଟିଲାଗଡ ଜିଲ୍ଲା ନିଶ୍ଚୟ ହେବ । କିନ୍ତୁ ଲୋକ ସେଇଟା ସହଜରେ ଗ୍ରହଣ କରି ପାରୁ ନାହାନ୍ତି, କାରଣ ହେଲା ପଦମପୁର ଜିଲ୍ଲା କରିବାକୁ ରାଜ୍ୟ ସରକାର ଯେତିକି ତତ୍ପର, ଟିଟିଲାଗଡ ପାଇଁ ସେତିକି ଦିଶୁନାହିଁ । ପୂର୍ବତନ ନଗରପାଳ ଏହି ବୈଠକରେ ସେହି କଥା ଉଠାଇ କହିଲେ ଯେ, ଯଦି ମନ୍ତ୍ରୀ ଏବଂ ଶାସକ ଦଳ ପକ୍ଷରୁ କୁହାଯାଉଛି ଯେ, ଟିଟିଲାଗଡ ଜିଲ୍ଲା ଯଦି ନିଶ୍ଚୟ ହେବ ତାହେଲେ ଆଜି ଏହି ବୈଠକ କଣ ପାଇଁ କରାଗଲା ? ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଓକିଲ ସଙ୍ଘ ସଭାପତି ସଞ୍ଜୟ ବେହେରା, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ନଗର ସଭାପତି ରଣ ପୃଷ୍ଟି, କଂଗ୍ରେସ ନେତା ରାଜୁ ମିଶ୍ର, କୃଷ୍ଣ ଚନ୍ଦ୍ର ସରାଫ, ଦେବାନନ୍ଦ ସାହୁ, ଓବିଶି ମଞ୍ଚର ଘିନୂ ଆଡଯୁଆଡ, ବାଳକୃଷ୍ଣ ଷ।ଣ୍ଢ, କୁନା ଭାଟି, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ନାରୀ ନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା, ବିଜେପି ନେତା ମହେନ୍ଦ୍ର ଠାକୁର, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ଟିଟିଲାଗଡ ବିକାଶ ସେନା ସଭାପତି ଅମ୍ଳାନ ଷଡଙ୍ଗୀ, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ଲାୟନ୍ସ କ୍ଲବ ସଭାପତି ସନ୍ତୋଷ ମହାନ୍ତି, ସମାଜ କଲ୍ୟାଣ ପରିଷଦର ସଭାପତି ପ୍ରମୋଦ ସରାଫ, ପ୍ରକାଶ ସରାଫ, ପ୍ରଦିପ ସାହୁ, ସମାଜସେବୀ ବିଜୟ ମେହେର, କିରାନା ସଙ୍ଘର ସଭାପତି ପ୍ରଭାକର ସରାଫ, ସମସ୍ତ ୱାର୍ଡର କାଉନସିଲର, ବୁଦ୍ଧିଜୀବୀ ପ୍ରମୋଦ ପ୍ରଧାନ, ନାଗରିକ ମଞ୍ଚର ମୋହନ ଲାଲ ଜୈନଙ୍କ ସମେତ ସହରର ବହୁ ଜିଲ୍ଲା ପ୍ରେମୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଫାଇବ ଟି ସଚିବ ଭି କେ ପାଣ୍ଡିୟାନ୍ ଟିଟିଲାଗଡ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଶୁଣିବାକୁ ମିଳୁଛି, ତାଙ୍କୁ ମଧ୍ୟ ଏ ବିଷୟରେ ଏକ ଦାବୀପତ୍ର ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜିଲ୍ଲା କ୍ରିୟାନୁଷ୍ଠାନ ସଭାପତି କେସି ସାହୁ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.