oom

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

jsmm
  • ବ୍ରେନ୍‌ ଟ୍ୟୁମର୍ ଆକ୍ରାନ୍ତ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ପ୍ରଦାନ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଏନ୍‌.ଏ.ସି. ଅନ୍ତର୍ଗତ କୋଳିସାହି ବାସିନ୍ଦା ଭି. ବାପି ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ର (୧୫) ଦଶମ ଶ୍ରେଣୀରେ ପାଠ ପଢନ୍ତି, କିଛି ଦିନ ତଳେ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ପ୍ରିୟଙ୍କା ବ୍ରେନ୍ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା । ପ୍ରିୟଙ୍କାଙ୍କ ପରିବାର ଗରିବ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କୁ ଉଚ୍ଚତ୍ତର ମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିନାହିଁ ଓ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଅର୍ଥ ଅଭାବ ହେତୁ ପ୍ରିୟଙ୍କାଙ୍କ ବାପା ମାଁ ଉପାୟ ଶୂନ୍ୟ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲୀ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସନ୍ତୋଷ ଦଳବେହେରାଙ୍କ ନେତୃତ୍ୱରେ ଟ୍ରଷ୍ଟ୍ ସଦସ୍ୟ ମାନେ ପ୍ରିୟଙ୍କାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ କୁମାର ବେହେରା ମଧ୍ୟ ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହିତ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି । ଘୁମୁସର ସେବା ସଂଘ ସଦସ୍ୟ ବିକ୍ରମ ଶତପଥି ଉପସ୍ଥିତ ଥିଲେ । ତେବେ ସଂଗଠନର ଏହି ସହାୟତା ପ୍ରିୟଙ୍କାଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ନଥିବା ବେଳେ ପ୍ରିୟଙ୍କାଙ୍କୁ ଉଚ୍ଚ ମାନର ଚିକିତ୍ସା ପାଇଁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଦିଗରେ ଦୃଷ୍ଟି ଦେଇ ବ୍ରେନ୍ ଟ୍ୟୁମର୍ ପୀଡ଼ିତା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କ ତରଫରୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.