ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଅପ୍ରେଲ ୧୧ ଓ ୧୨ ତାରିଖ ଦୁଇଦିନ ଧରି ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ହେବାକୁ ଯାଉଛି ରାଉରକେଲା ଦିବସ । କାନଭାସ୍ ପକ୍ଷରୁ ସେକ୍ଟର-୧ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ୧୯୫୪ ରାଉରକେଲା ଇସ୍ପାତ କାରଖାନାର ପ୍ରତିଷ୍ଠା ଦିବସକୁ ନେଇ କାନଭାସ୍ ପକ୍ଷରୁ ରାଉରକେଲା ଦିବସ ପାଳନ କରାଯାଉଛି । ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ରାଉରକେଲା ଜନ୍ମଦିନର ବାର୍ଷିକ ଉତ୍ସବକୁ ରାଉରକେଲା ଦିବସ ଭାବରେ ପାଳନ କରାଯାଉଥିବା ବେଳେ ରାଉରକେଲା ଦିବସ ଅବସରରେ ରାଉରକେଲା ପାଇଁ ପ୍ରାଣବଳି ଦେଇଥିବା ବିଶିଷ୍ଟ ସମାଜସେବୀମାନଙ୍କ ଏକ ଗ୍ୟାଲେରୀ ସ୍ଥାପନ କରାଯିବ । ଏଥିସହିତ ରାଉରକେଲାର ସାମାଜିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ସଂଗଠନମାନଙ୍କୁ ରାଉରକେଲା ଦିବସ ପାଳନ ସମାରୋହରେ ସ୍ଥାନ ଦେବାକୁ ବିଚାର କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ରାଉରକେଲା ଦିବସ ପାଳନ ସମାରୋହର ପ୍ରଥମ ଦିନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଉରକେଲା ଦିବସର ପ୍ରଥମ ସନ୍ଧ୍ୟାରେ ମୁମ୍ବାଇର ସୁପ୍ରସିଦ୍ଧ ଓଲିଉଡ ଗାୟିକା ଶ୍ରଦ୍ଧା ମିଶ୍ର ଯୋଗଦେଇ ସୁମଧୁର ସଙ୍ଗୀତ ପରିବେଷଣ କରିବେ । ଦ୍ୱିତୀୟ ଦିନ କାର୍ଯ୍ୟକ୍ରମର ଅତିଥି ଭାବରେ ରାଜ୍ୟ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ କାନଭାସର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଅପ୍ରେଲ ୧୨ ତାରିଖ ଦିନ ୧୧ଟା ସମୟରେ ରାଉରକେଲାରୁ ବେଦବ୍ୟାସ ପୀଠକୁ ହେବାକୁ ଥିବା ପାଦଚଲା ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏଥିସହିତ ୧୨ ତାରିଖ ସନ୍ଧ୍ୟା ରାଉରକେଲା ଜନ୍ମଦିନ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଋକ୍ ସୁନା, ବିଷ୍ଣୁ ମୋହନ କବି ଏବଂ ହାସ୍ୟ ଅଭିନେତା ପପୁ ପମ୍ପମ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି କାନଭାସର ଆବାହକ ସୁରେଶ ପ୍ରଧାନ । କାନଭାସ ପକ୍ଷରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କାନଭାସର ଉପସଭାପତି ହରିହର ରାଉତରାୟ, ଆବାହକ ସୁରେଶ ପ୍ରଧାନ, ସତ୍ୟାନନ୍ଦ ମହାନ୍ତି, ଅରବିନ୍ଦ ଦାସ, ଭବାନୀ ଶଙ୍କର କବି, ପ୍ରଶାନ୍ତ ନାୟକ, ନାଚିକେତା ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ଦେଇଥିବା ବେଳେ ଅନୁଷ୍ଠାନର ନରେନ ଦାସ, ସୁଦର୍ଶନ ଜେନା, ଅଜୟ ମହାନ୍ତି, ସଂଗ୍ରାମ ମହାନ୍ତି, ମୀନକେତନ ରାଉତ, ପ୍ରଭାତ କୁମାର ଭୋଳ, ମୁକ୍ତିକାନ୍ତ ବେହେରା, ବିରାଜ ବିଶ୍ୱାଳ, ସଞ୍ଜୀବ ନାୟକ, ଦେବାଶିଷ ମହାନ୍ତି, ବନୋଜ ପରିଡ଼ା, ଏସ୍ କେ ଭଞ୍ଜଦେଓ, ମନୋଜ ବେହେରା, ଶୁଭେନ୍ଦୁ ବିକାଶ ମାଝୀ, ଟୁନା ପାଢ଼ୀ, ଗୋପାଳ ଜେନା ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।