
ବଡ଼ଭାଇର ମୃତ୍ୟୁ ଖବର ପାଇ ସାନଭାଇର ଆତ୍ମହତ୍ୟା କରିବାକୁ ଉଦ୍ୟମ : ଏକ ଘଣ୍ଟା ପରେ ମଧ୍ୟ ପହଞ୍ଚିଲା ନାହିଁ ଆମ୍ବୁଲାନ୍ସ, ବିଳମ୍ବିତ ରାତିରେ ରାଜ୍ୟସଭା ସାଂସଦଙ୍କ ହସ୍ତେକ୍ଷେପ ପରେ ଚିକିତ୍ସା କଲେ ଡାକ୍ତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ଥାନା ବାଗଦୋର ପଞ୍ଚାୟତ କୁମ୍ଭାରଖୁନ ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗୋଟିଏ ପରିବାରର ଜଣେ ଭାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ବଡ ଭାଇର ମୃତ୍ୟୁ ହୋଇଥିବା ଜାଣି ସାନଭାଇ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଡମ୍ବରୁ ପୁଟେଲ (୨୫) ଓ ଆତ୍ମହତ୍ୟା କରୁଥିବା ସାନଭାଇ ହେଲେ ବିଶ୍ଵଜିତ ପୁଟେଲ (୧୮) । ବିଶ୍ଵଜିତ ଗୁରୁତର ଅବସ୍ଥାରେ ତାଙ୍କ ମାମୁଁ ନୃପରାଜ ପୁଟେଲ ଓ ସମ୍ପର୍କୀୟ ମାନେ ଏକ ବଲରୋରେ ରାତି ୧ଟାରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ପାଟଣାଗଡ଼ ଡାକ୍ତରଖାନାରେ ସୁବିଧା ଉପଲବ୍ଧି ନଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଝ ଓ ହସପିଟାଲକୁ ସ୍ଥାନାସ୍ତରିତ କରିବା ପାଇଁ ଡାକ୍ତର କହିଥିଲେ । ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପରିବାର ଲୋକେ ବଲାଙ୍ଗିର ନ ନେଇ ବିଶ୍ଵଜିତଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ସୂଚନା ଅନୁସାରେ ଗତ ରାତ୍ରି ପ୍ରାୟ ୭ଟାରେ କୁମ୍ଭାରଖୁନ ଗାଁ ପାଖରେ ଥିବା ଗଞ୍ଚାଧାର କ୍ଷୁଦ୍ରଜଳ ସେଚନ ପ୍ରଜେକ୍ଟର କେନାଳକୁ ସେହି ଗାଁର ଡମ୍ବରୁ ପୁଟେଲ ଓରଫ ଦୀପକ (୨୫) ନିଜ ୩ ଜଣ ସାଙ୍ଗ ଡମନ ଗାଇନ୍ତା(୨୪), ଅରକ୍ଷିତ ପୁଟେଲ (୩୨), ରମେଶ ପୁଟେଲ (୨୪)ମାନଙ୍କ ସହ ମାଛ ଧରିବାକୁ ଯାଇଥିଲେ । ଡୁମ୍ବରୁ ମୁଖ୍ୟ କେନାଳ ଭିତରକୁ ପଶିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ବାହାରି ନଥିଲେ । କିଛି ସମୟ ପରେ ତାଙ୍କ ମୃତ ଶରୀର ପାଣି ଉପରକୁ ବାହାରି ଆସିଥିଲା । ମୃତ ଶରୀରକୁ ଦେଖିବା ପରେ ତାଙ୍କ ସାଙ୍ଗମାନେ ଡମ୍ବରୁଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ । ଡମ୍ବରୁଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସାନଭାଇ ବିଶ୍ଵଜିତ ଦୁଃଖରେ ଭାଙ୍ଗି ପଡିଥିଲେ । କିଛି ସମୟ ପରେ ବିଶ୍ଵଜିତ ଚାଷ କାମରେ ଲଗାଉଥିବା ବିଷାକ୍ତ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ପରିବାର ଲୋକେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ର ଓ ପରେ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଡାକ୍ତର ତାଙ୍କୁ ପାଟଣାଗଡ଼ ନେଇ ଯିବାକୁ କହିଥିଲେ । ତାଙ୍କ ମାମୁଁ ନୃପରାଜ ଓ ସମ୍ପର୍କୀୟ ମାନେ ଏକ ବଲେରୋ ଗାଡ଼ିରେ ବିଶ୍ଵଜିତକୁ ନେଇ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ପ୍ରାୟ ରାତି ୧ଟାରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବିଶ୍ଵଜିତଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ ।ପରିବାର ବର୍ଗ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ୪୫ ମିନିଟରୁ ଅଧିକ ଅପେକ୍ଷା କଲା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଏହି ଖବର ଜାଣିବା ପରେ ପାଟଣାଗଡ ବ୍ରହ୍ମପୁରାର ଜଣେ ସମାଜସେବୀ ଓ ତାଙ୍କ ସାଥୀ ଡାକ୍ତରଖାନକୁ ପହଞ୍ଚି ସମସ୍ୟା ବିଷୟରେ ଜାଣିବା ପରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ରାତି ୧ଟା ୪୬ ମିନିଟରେ ଫୋନ ମାଧ୍ୟମରେ ସମସ୍ୟା ବିଷୟରେ ଜଣାଇଥିଲେ । ପରେ ଶ୍ରୀ ବିଶି ରାତ୍ରିରେ ଥିବା ଡ଼ାକ୍ତରଙ୍କୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଛି, ଏଥିସହ ବିଶ୍ଵଜିତର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡିବାକୁ ଆରମ୍ଭ କରୁଛି ତେଣୁ ତାକୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ପଡୁଛି ତେଣୁ ଆପଣ ଚେଷ୍ଟା କରୁନ୍ତୁ ବୋଲି ଡ଼ାକ୍ତରଙ୍କୁ କହିଥିଲେ । ଡାକ୍ତର ପରିବାର ବର୍ଗକୁ ଏକ ବଣ୍ଡ ଲେଖିବାକୁ କହିଥିଲେ । ଏହାପରେ ସେ ବିଶ୍ଵଜିତଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ବିଶ୍ଵଜିତଙ୍କ ସ୍ଵାସ୍ଵାବସ୍ଥା ସାମାନ୍ୟ ସୁସ୍ଥ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।
