ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆମେ ସୁସ୍ଥ ସବଳ ସବୁ କାମରେ ସକ୍ଷମ ବୋଲି ଅହଂ ଭାବ ଦେଖାଇବା ଅନୁଚିତ । କାରଣ ଦିନେ ନା ଦିନେ ପ୍ରତ୍ୟେକ ମଣିଷକୁ ଭିନ୍ନକ୍ଷମ ଅବସ୍ଥା ଦେଇ ଗତି କରିବାକୁ ପଡିବ । ଆମର ବୃଦ୍ଧାବସ୍ଥାରେ ହୁଏତ ଆଖି ଠିକରେ ଦେଖା ଯାଉନଥିବ କିମ୍ବା କଥା ଶୁଭୁନଥିବ । ଯେଭଳି ବୃଦ୍ଧ ସମୟରେ ମଣିଷକୁ ଅଧିକ ସେବା ଯତ୍ନ କରାଯାଏ, ସେହିଭଳି ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଆମ ସମାଜରେ ଅଧିକ ସେବା, ଯତ୍ନ ଏବଂ ଭଲ ପାଇବା ଦେବା ଆବଶ୍ୟକ । ସୋନପୁରଠାରେ ଅନୁଷ୍ଠିତ ଭିନ୍ନକ୍ଷମ ମାନଙ୍କ ଅଧିକାର ସଂପର୍କିତ ସଚେତନତା ଶିବିରରେ ବୁଧବାର ଯୋଗ ଦେଇ ଏହି କଥା କହିଛନ୍ତି ଭିନ୍ନକ୍ଷମ ଆୟୋଗର ରାଜ୍ୟ କମିଶନର ସୁଲୋଚନା ଦାସ । ସମସ୍ତେ ଭିନ୍ନକ୍ଷମ ମାନଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଅଧିକାର ବିଷୟରେ ଜାଣିବା ଆବଶ୍ୟକ । ତାଙ୍କ ଅଧିକାର କ୍ଷୁର୍ଣ ହେଲେ ଯେକେହି ସ୍ୱର ଉଠାଇ ପାରିବେ ବୋଲି କମିଶନର କହିଛନ୍ତି । ସୋନପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ସୋନପୁର ଉପଜିଲ୍ଲପାଳ ନିହାର ରଞ୍ଜନ କହଁର, ପିଡି ଡିଆରଡିଏ ଡୋଲାମଣି ପଟେଲ, ଡିଏସ୍ଏସ୍ଓ ତାହିର ହୁସେନ ପ୍ରମୁଖ ଯୋଗ ଦେଇଥିଲେ । ଆର୍ପିଡବ୍ଲୁଡି ଆକ୍ଟ ୨୦୧୬ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ରାଜ୍ୟ କମିଶନର । ଭିନ୍ନକ୍ଷମ ମାନେ ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଦେଖାଇ ସାରିଛନ୍ତି, କେବଳ ତାଙ୍କୁ ସୁଯୋଗ ଦରକାର ବୋଲି ମତବ୍ୟକ୍ତ କରିଥିଲେ ଶ୍ରୀମତି ଦାସ । ତେବେ ସେହି ସୁଯୋଗ ଦେବା ପାଇଁ ଆଇନ କାନୁନ ରହିଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ନେଇ ସାଧାରଣ ଲୋକ ପର୍ୟ୍ୟନ୍ତ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପରେ ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନ କ୍ଷମ ବାଳକ ବାଳିକାଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ ଭିନ୍ନକ୍ଷମ ଆୟୋଗର ରାଜ୍ୟ କମିଶନର ।