jayashree

ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀମାନଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ : ଦୁର୍ବାର ଆନ୍ଦୋଳନ ପାଇଁ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗିର ସର୍କଲସ୍ତରୀୟ ସଂଘର କର୍ମକର୍ତ୍ତା ସଭାରେ ନିଷ୍ପତ୍ତି ନିଆଯାଇଛି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ସଭାପତିତ୍ୱରେ ବଲାଙ୍ଗିର ଯାଦବ ଭବନଠାରେ ପଦ୍ମପୁର, ଖରିଆର, ଟିଟିଲାଗଡ, ପାଟଣାଗଡ, ବଲାଙ୍ଗିର, କଳାହାଣ୍ଡି କେନ୍ଦୁପତ୍ର ଡିଭିଜନର ଶତାଧିକ ସଂଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖରିଆରୁ ଯଦୁମଣି ପାଣିଗ୍ରାହୀ, ପାଟଣାଗଡରୁ ଶିବାନନ୍ଦ ପରିଛା, କଳାହାଣ୍ଡିରୁ ଚିରାଗ ସିଂ ଦେଓ, ଟିଟିଲାଗଡରୁ ଛବିଳ ସିଂ ଚିନ୍ଦା, ଚିତ୍ରସେନ ବଗର୍ତ୍ତି ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୨୦୧୩ ମସିହାରେ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀମାନଙ୍କ ପାଇଁ “ଚାକିରି ସର୍ତ୍ତାବଳୀ” ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚାକିରି ସର୍ତ୍ତାବଳୀ ଲାଗୁ କରାଯାଇ ନଥିବାରୁ ଓଡ଼ିଶା ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସଭାରେ ଘୋର ନିନ୍ଦା କରାଯାଇଥିଲା । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ଶ୍ରମିକ ମଙ୍ଗଳ ପାଣ୍ଠିରୁ ପୂର୍ବ ପରି କେନ୍ଦୁପତ୍ର ତୋଳାଳି ପରିବାରର ପୁଅ ଓ ଝିଅମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ଯୋଗାଇ ଦେବା, ଛତିଶଗଡ ରାଜ୍ୟ ପରି କେନ୍ଦୁପତ୍ର ସଂସ୍ଥାରୁ ହେଉଥିବା ଆୟର ୧୦୦ ଭାଗ ବୋନସ ତୋଳାଳି ଓ ଶ୍ରମିକମାନଙ୍କୁ ଯୋଗାଇ ଦେବା, କେନ୍ଦୁପତ୍ର ସଂସ୍ଥାକୁ ବିଭିନ୍ନ ଡିଭିଜନରେ ଚାଲିଥିବା ଘରୋଇକରଣକୁ ସଂପୂର୍ଣ୍ଣ ବନ୍ଦ କରିବା, ସର୍କଲ ସ୍ତରରେ ଖାଲିଥିବା ହେଡ ଚେକର, ସର୍କଲ ଚେକର ପଦବୀ ପୁରଣ କରିବା, ହେଡ ଚେକରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ପ୍ରସ୍ତାବ ପାରିତ ହୋଇଛି । ଏହି ଦାବୀକୁ ନେଇ ଓଡ଼ିଶା ସରକାର ଓଡ଼ିଶାର ୧୩ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ କରୁଥିବା ପ୍ରତାରଣା ବିରୋଧରେ ଦୁର୍ବାର ଆନ୍ଦୋଳନ ପାଇଁ ସଭାରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ କରାଯାଇଛି । ସଭାପରେ ବଲାଙ୍ଗିର ସର୍କଲର ବିଭିନ୍ନ ସମସ୍ୟାକୁ ବଲାଙ୍ଗିର କେନ୍ଦୁପତ୍ର ସିସିଏଫ୍‌ ପ୍ରଦୀପ କୁମାର ମହାପାତ୍ରଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ ।

Leave A Reply

Your email address will not be published.