ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା : ଘଟଣା ପଛରେ ବିଜେଡି ନେତା ରାଜେନ୍ଦ୍ର ହୋତା ଥିବା କହିଲେ ପୀଡ଼ିତ ଶ୍ରୀକର ମିର୍ଦ୍ଧା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାକଡଚୁଆଁ ଗ୍ରାମର ଶ୍ରୀକର ମିର୍ଦ୍ଧା ନାମକ ଆଦିବାସୀ ଯୁବକଙ୍କୁ ଗତ ୧ତାରିଖରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ପୀଡିତ ଶ୍ରୀକର ମିର୍ଦ୍ଧା ଏହି ଘଟଣା ଉପରେ ଆଜି ମୁହଁ ଖୋଲିଛନ୍ତି । ଆକ୍ରମଣକାରୀ ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ହୋତାଙ୍କ ଟ୍ରାକ୍ଟର ଡ୍ରାଇଭର ହୋଇଥିବା ବେଳେ ସଂପୁର୍ଣ୍ଣ ଘଟଣା ପଛରେ ବରକାନୀ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ହାତ ଥିବା ଶ୍ରୀକର ଅଭିଯୋଗ କରିଛନ୍ତି । ଆହୁରି ରାଜେନ୍ଦ୍ର ହୋତା, ମିର୍ଦ୍ଧା ପରିବାରକୁ ନିପାତ କରିଦେବା ନେଇ ସିଧା ସଳଖ ଧମକ୍‌ ଦେଇଥିବା ବେଳେ ଶ୍ରୀକର ତାଙ୍କର ଓ ପରିବାରର ସୁରକ୍ଷା ପାଇଁ ପୋଲିସ ପ୍ରଶାସନର ସହାୟତା ଲୋଡିଛନ୍ତି । ଅଭିଯୋଗ ହୋଇଛି ଯେ, ଏହି ଘଟଣା ସଂପର୍କରେ ପରିବାର ବର୍ଗ ପୋଲିସକୁ ଲିଖିତ ଅଭିଯୋଗ କରିଥିବାରୁ ୨ ତାରିଖ ସଂନ୍ଧ୍ୟାରେ ବିଜେଡି ନେତା ରାଜେନ୍ଦ୍ର ହୋତା ମାକଡଚୁଆଁ ଗ୍ରାମକୁ ପହଞ୍ଚି ମିର୍ଦ୍ଧା ପରିବାରକୁ ନିପାତ କରିଦେବା ପାଇଁ ଧମ୍‌କି ଦେଇଥିଲେ । ପରଦିନ ୩ ତାରିଖରେ ମନୋରଞ୍ଜନ ତ୍ରିପାଠୀ ଓ ତାଙ୍କର କିଛି ସହେଯାଗୀ ଗାଧୋଇ ଯିବା ସମୟରେ ପୁଣିଥରେ ଶ୍ରୀକରଙ୍କୁ ଅକ୍ରମଣ କରିଥିଲେ ।

ଜୀବନ ଭୟରେ ଶ୍ରୀକର ଜଙ୍ଗଲକୁ ଦୌଡି ପଳାଇ ଅଚେତ ହୋଇ ପଡି ରହିଥିଲେ । ଦୁଇ ଦିନ ଖୋଜାଖୋଜି ପରେ ୪ ତାରିଖରେ ପୋଲିସ ସହାୟତାରେ ଗ୍ରମାବସୀମାନେ ଶ୍ରୀକରଙ୍କୁ ସଜ୍ଞାହୀନ ଭାବେ ଜଙ୍ଗଲରୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରବଳ ଭୟ ଓ ମାନସିକ ଧକ୍କା ଯୋଗୁଁ ଶ୍ରୀକର ନିଜର ବାକ୍ ଶକ୍ତି ହରାଇ ବସିଥିଲେ । ଦୁଇ ଦିନ ଚିକିତ୍ସା ପରେ ଶ୍ରୀକର ଆଜି ନିଜର ମୁହଁ ଖୋଲିବା ସହ ସଂପୁର୍ଣ୍ଣ ଘଟଣା ଚକ୍ର ପ୍ରକାଶ କରିଛନ୍ତି । ସେହିପରି ଶ୍ରୀକରଙ୍କ ଡାକ୍‌କ୍ତରଖାନା ବେଡ ପାଖରେ ଆକ୍ରମଣକାରୀ ଓ ସହେଯାଗୀମାନେ ବାରମ୍ବାର ପଇଁତରା ମାରୁଥିବା ବେଳେ ତାଙ୍କର ସୁରକ୍ଷା ବଡ଼ ପ୍ରଶ୍ନବାଚୀ ବୋଲି ଶ୍ରୀକରଙ୍କ ବଡଭାଇ ଓ କାକା ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେଡି ନେତା ରାଜେନ୍ଦ୍ର ହୋତା ଘଟଣା ଉପରେ ନିଜର ପକ୍ଷ ରଖିଥିବା ବେଳେ ଏହାକୁ ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି । ତେବେ ଏହି ଘଟଣା ବଲାଙ୍ଗିର ରାଜନୀତିକୁ ବେଶ ସରଗରମ କରିଥିବା ଲକ୍ଷ୍ୟ କରାଯାଉଛି ।

Leave A Reply

Your email address will not be published.