ବରଗଡ଼, (ନିରୋଜ କୁମାର ପାଣୀ) : ଯେଉଁ ସ୍ଥାନରେ ଅନ୍ୟ ମାଧ୍ୟମ ପହଂଚି ପାରେ ନାହିଁ, ସେହି ସ୍ଥାନକୁ ଆକାଶବାଣୀ ଅତି ସହଜ ଓ ଶୀଘ୍ର ପହଞ୍ଚି ପାରୁଛି । ଦୁର୍ଗମ ଅଂଚଳର ସାଥୀ ହଉଛି ଆକାଶବାଣୀ । ସମୟ ସହିତ ତାଳ ଦେଇ ଆକାଶବାଣୀ ନିଜ କାର୍ୟ୍ୟକ୍ରମରେ ବି ନୂତନତ୍ୱ ଆପେଣେଇଛି ବୋଲି ଆଜି ଅଗ୍ରଗାମୀ ଯୁବକ ସଂଘରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆକାଶବାଣୀ ଶ୍ରୋତା ସମ୍ମିଳନୀ ତଥା ସଂଘର ୨୬ ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବରଗଡ ଅଗ୍ରଗାମୀ ଯୁବକ ସଂଘ ସଭା କକ୍ଷରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆକାଶବାଣୀର ଶ୍ରୋତାମାନେ ଅଂଶଗ୍ରହଣ କରିଥିଲେ । ସକାଳ ସାଢେ ୧୦ଟାରେ ସମ୍ମିଳନୀର ପ୍ରାରମ୍ଭରେ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ୟ୍ୟକ୍ରମ ଉଦଘାଟିତ ହୋଇଥିଲା । ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ତଥା ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆକାଶବାଣୀ ସମ୍ବଲପୁରର ଭାରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ତଥା କାର୍ୟ୍ୟକ୍ରମ ମୁଖ୍ୟ ମନୋଜ ପୁଜାରୀ ମୁଖ୍ୟ ଅତିଥି, ଗାଳ୍ପିକା ତଥା ସମ୍ବଲପୁର ମୁନ୍ୟୁସିପାଲଟିର କାର୍ୟ୍ୟନିର୍ବାହୀ ଅଧିକାରୀ ତାପସ୍ୱିନୀ ଗୁରୁ, କଳାପାଣି କଲେଜ ଅଧ୍ୟକ୍ଷ ମୋହନ ସାହୁ, ବରଗଡ ଏଫମ ରେଡ଼ିଓ ଗୁଞ୍ଜନର ମୁଖ୍ୟ ନିହାର ରଞ୍ଜନ ପଣ୍ଡା, ପ୍ରମୁଖ ସମ୍ମାନୀତ ଭାବେ ଯୋଗ ଦେଇଥିଲେ । ଶ୍ରୋତାମାନଙ୍କ ଆକାଶବାଣୀ ପ୍ରତି ବିଭିନ୍ନ ମତାମତ, ଅଭିଯୋଗ ଓ ଅନୁରୋଧ ଉପରେ କାର୍ୟ୍ୟକ୍ରମର ମାନକୁ ନେଇ ବିଚାର ବିମର୍ଷ କରାଯାଇଥିଲା । କୋଭିଡ କଟକଣା ପାଇଁ ଚଳିତ ବର୍ଷ ହେବାକୁ ଥିବା ରୌପ୍ୟ ଜୟନ୍ତୀ ଉତ୍ସବକୁ ସ୍ଥଗିତ ରଖାଯାଇଥିବା ବେଳେ କେବଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ତାଙ୍କ ବିବରଣୀରେ ଉଲ୍ଲେଖ କରିଥିଲେ । ପ୍ରତି ବର୍ଷଭଳି ଚଳିତ ୨୬ବର୍ଷ ପୂର୍ତ୍ତରେ ବି ୩ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ସଂଘର ପ୍ରତିଷ୍ଠାତା ସଭ୍ୟ ସ୍ବର୍ଗତ ବିଷ୍ଣୁ ସାହୁଙ୍କ ସ୍ମୃତିରେ ମୂରଲୀଧର ମେହେରଙ୍କୁ ଶ୍ରେଷ୍ଠ ଶ୍ରୋତା ସମ୍ମାନ, ସ୍ବର୍ଗତ ନାଟ୍ୟଗୁରୁ ହରେକୃଷ୍ଣ ପୂଜାରୀଙ୍କ ସ୍ମୃତିରେ ଶଳା ବୁଢ଼ାର ବଦଳାର ଅଭିନେତା ବଲାଙ୍ଗୀରର ରବୀନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ଏବଂ ସ୍ବର୍ଗତ ସମାଜସେବୀ ବିପିନ ବିହାରୀ ପ୍ରଧାନଙ୍କ ସ୍ମୃତିରେ ବରଗଡ଼ର ଜେଠୁ ଭୋଇଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଲକ୍ଷ୍ମଣ ସୁନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜଗନ୍ନାଥ ସାହୁ, ସୁଦାମ ସାହୁ, ଅନିରୁଦ୍ଧ କୁରକୁରିଆ, ଭବାନୀ ଦେହେରୀ, ଆକାଶବାଣୀ ସମ୍ବଲପୁରର ଉଦଘୋଷକ ସୁର୍ଯ୍ୟ ପାଣିଗ୍ରାହୀ, ଅବସରପ୍ରାପ୍ତ ଉଦଘୋଷକ କୃଷ୍ଣଚନ୍ଦ୍ର କନ୍ଧେର, ଧ୍ରୁବ ଚରଣ ପଣ୍ଡା ପ୍ରମୁଖଙ୍କ ସମେତ ସମ୍ବଲପୁର, ସୋନପୁର, ବଲାଙ୍ଗିର, ଝାରସୁଗୁଡା, ବରଗଡ, ବୌଦ୍ଧ ଆଦି ଜିଲ୍ଲାରୁ ଶତାଧିକ ଶ୍ରୋତା ଯୋଗ ଦେଇଥିଲେ ।
Prev Post