ପାଟଣାଗଡ ବିଧାୟକଙ୍କ ନୂତନ ଗୃହର ନିର୍ମାଣ ସମୟରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା : ବିଧାୟକଙ୍କ ଗିରଫ ଦାବୀ କଲା ଆଦିବାସୀ ସଂଘ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ବିଧାୟକଙ୍କ ନୂତନ ଗୃହ ନିର୍ମାଣ ସମୟରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିଧାୟକଙ୍କ ଗିରଫ୍ ଦାବୀ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଦୁଇ ମହଲା ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରୀ ଡିଙ୍ଗର ବରିହାଙ୍କ ମୃତ୍ୟୁ ହୋଇଛି । ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମର ସମାରୁ ବରିହାଙ୍କ ପୁଅ ଡିଙ୍ଗର ବରିହା (୪୬) ଜାତି ବିଂଝାଳ ଆଦିବାସୀ । ମୃତ ରାଜମିସ୍ତ୍ରୀ ଡିଙ୍ଗର ବରିହା ଗତକାଲି ତା୦୭.୦୧.୨୦୨୧ରେ ବିଧାୟକ ମେହେରଙ୍କ ନବନିର୍ମିତ ଦୁଇ ମହଲା କୋଠାର ଛାତ କାମ କରୁଥିଲେ । ଉକ୍ତ ନବ ନିର୍ମାଣ ଗୃହ ପାଖକୁ ଲାଗି ୧୧ କେଭି ବିଦ୍ୟୁତ ତାର ଯାଇଛି । ଉକ୍ତ ୧୧ କେଭି ଲାଇଭ ଲାଇନ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ତଳେ ପଡିଯାଇ ମୃତ୍ୟୁବରଣ କରିଥିଲେ । ରାଜମିସ୍ତ୍ରୀ ବରିହାଙ୍କ ମୃତ୍ୟୁ ପାଇଁ ବିଧାୟକ ସରୋଜ ମେହେର ଦାୟୀ । କାରଣ ୧୧ କେଭି ବିଦ୍ୟୁତ ତାର, ପୋଲ ଥିବା ସ୍ଥାନରେ ଗୃହ ନିର୍ମାଣ ପାଇଁ ବିଦ୍ୟୁତ ବିଭାଗ ଠାରୁ ଆଗୁଆ ଅନୁମତି ନେବାକୁ ପଡେ । ଯଦି ଅନୁମତି ନେଲେ ନାହିଁ ତେବେ ୧୧ କେଭି ଲାଇନ ସଟଡାଉନ ନେଇ ଘର କାମରେ ମିସ୍ତ୍ରୀ ମାନଙ୍କୁ ଲଗାଇବା ଉଚିତ । ବିଧାୟକ ଶ୍ରୀ ମେହେର ତାଙ୍କ ଘର ନିକଟରେ ଯାଇଥିବା ୧୧ କେଭି ଲାଇନକୁ ଅନ୍ୟତ୍ର ସ୍ଥାନାନ୍ତର ବା ସିପ୍ଟିଙ୍ଗ କରିବା ଉଚିତ ଥିଲା । ୧୧ କେଭି ବିଦ୍ୟୁତ ତାରକୁ ସିପ୍ଟିଙ୍ଗ ନକରି, ଲାଇନ ନ କାଟି ବିଦ୍ୟୁତ ବିଭାଗର କର୍ତୃପକ୍ଷଙ୍କୁ ନ ଜଣାଇ ଗୃହ ନିର୍ମାଣ କରିବା ସମ୍ପୁର୍ଣ୍ଣ ବେଆଇନ । ବିଧି ନ ଜାଣି ବିଧାୟକ ହୋଇଛନ୍ତି, ଯଦି ବିଧି ବିଧାନ, ନୀତି ନିୟମ ଜାଣିଥିଲେ ତେବେ ଉଲ୍ଲଂଘନ କଲେ କାହିଁକି? ବିଧାୟକ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଉିଚତ, ନିଜ ହାତକୁ ଆଇନ କାନୁନ ନେବା ଅନୁଚିତ । ସାଧାରଣ ଲୋକଙ୍କୁ ଭୟଭୀତ କରିବା, ଡରେଇବା, ଧମକେଇବା, ଧନ ଜୀବନ ନଷ୍ଟ କରିବା, ଗୁଣ୍ଡା ଗର୍ଦ୍ଦି କରିବା ଅନୁଚିତ । ବିଧାୟକ ଶ୍ରୀ ମେହେରଙ୍କ ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ଆଜି ରାଜମିସ୍ତ୍ରୀଙ୍କ ପ୍ରାଣହାନୀ ଘଟିଛି । ଆଦିବାସୀ ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ତାଙ୍କ ପରିବାର ବର୍ତମାନ ବହୁତ ଅସୁବିଧାରେ । ସେମାନଙ୍କ ସୁରକ୍ଷା କରାଯାଉ । କାରଣ ରାଜମିସ୍ତ୍ରୀଙ୍କ ମରଶରୀର ହସପିଟାଲରେ ଥିଲା, ୫ଜଣ ପୁଅ ଝିଅ ରମାକାନ୍ତ, କାନ୍ତ, ରାଧାକାନ୍ତ, ଦେବାଶିଷ ଓ ଶିବାନୀ ବରିହା ହସପିଟାଲରେ ଥିଲେ । ବିଧାୟକ ଲୋକ ପଠାଇ ସେମାନଙ୍କୁ ଉଠାଇନେଲେ । ଅପରାହ୍ନ ୪ଟାରେ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ହେଲା । ୭ ଘଂଟା ବିଳମ୍ବ ହେଲା କାହିଁକି, ଡିଙ୍ଗର ବରିହାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ଲେଖାଇଲା କିଏ, ଚାପ ପ୍ରୟୋଗ କଲା କିଏ, ଏ ସବୁର ତଦନ୍ତ କରାଯାଉ ଏବଂ ରାଜମିସ୍ତ୍ରୀ ଡିଙ୍ଗର ବରିହାର ମୃତ୍ୟୁ ପାଇଁ ଦାୟୀ ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ କରାଯାଉ । ଯେହେତୁ ପୂର୍ବରୁ ମଧ୍ୟ ପାଟଣାଗଡ ଥାନା ଅନ୍ତର୍ଗତ ପୋଡଛାପର ଗ୍ରାମର ଧନସିଂ ମେହେରଙ୍କ ଘର ଛାତ କାମ ସମୟରେ ମୁଣ୍ଡାପଲା ଗ୍ରାମର ଜଣେ ଶ୍ରମିକ ପ୍ରଦୀପ ଧରୁଆ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲା ଏବଂ ଘର ନିର୍ମାଣ କରୁଥିବା ଧନସିଂ ମେହେର ସେହି ଘଟଣାରେ ଜେଲ ଯାଇଥିଲେ । ତେବେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ଥିବା ବେଳେ ବିଧାୟକଙ୍କ କ୍ଷେତ୍ରରେ ଆଇନ ପରିବର୍ତନ କିପରି ହେବ? ଏଣୁ ବିଧାୟକଙ୍କ ଗିରଫ ଦାବୀ କରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସେହିପରି ବଲାଙ୍ଗିର ସଦର ବ୍ଲକ ମାକଡଚୁଆଁ ଗ୍ରାମର ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କୁ ହତ୍ୟା ଉଦ୍ୟମ କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଘଟଣାର ଅପରାଧୀମାନଙ୍କୁ ଗିରଫ କରିବାକୁ ସଂଘ ଦୃଢ ଦାବୀ କରୁଛି । ଆଗାମୀ ୩ ଦିନ ମଧ୍ୟରେ ଗିରଫ କରାନଗଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବାକୁ ସଂଘ ନିଷ୍ପତି ନେଇଛି ।