ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଉଦଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଆଇ.ଟି.ଡି.ଏ ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରି ଆସୁଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସାଇସୁରନି ଠାରେ ପ୍ରତିଷ୍ଠିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭାଷୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇ ଏ ଅଞ୍ଚଳର ବିକାଶ ଦିଗରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ପ୍ରକାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷକ ମିଲନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!