ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସୋଢା ଗ୍ରାମରେ ୪ ବର୍ଷର ଶିଶୁକନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତକୁ ପାଇକମାଲ ପୋଲିସ ବରଗଡ ପସ୍କୋ କୋର୍ଟରେ ଶନିବାର ହାଜର କରିଥିବାର ଜଣାପଡିଛି । ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନରେ ପ୍ରଶାନ୍ତ ବରିହା (୨୧) ସୋଢା ଗ୍ରାମର ୪ ବର୍ଷର ଝିଅକୁ ମାଛ ମାରି ଯିବା ବାହାନାରେ ଡାକି ନେଇ ନିକଟସ୍ଥ ପଠାରୀ ଡୁଙ୍ଗୁରୀ ଜଙ୍ଗଲକୁ ନେଇ ଅମାନୁଷିକ ଭାବେ ଧର୍ଷଣ କରି ମୁଣ୍ତକୁ ପଥରରେ ଛେଚି ଜଙ୍ଗଲରେ ଫିଙ୍ଗି ଦେଇଥିଲା । ପରିବାର ଲୋକ ଝିଅକୁ ନପାଇ ପ୍ରଶାନ୍ତକୁ ଧରି ଖୋଜାଖୋଜି କରି ଜଙ୍ଗଲରୁ ମୃତ ଶିଶୁକୁ ପାଇଥିଲେ । ପାଇକମାଲ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରଶାନ୍ତ ବରିହାକୁ ଗିରଫ କରି ଥାନାକୁ ଆଣିଥିଲା । ଏନେଇ କେସ ନମ୍ବର ୨୮୮ ଧାରା ୧୪୦ (୧), ୧୦୩, ୬୫ (୨) ବିଏନ୍ଏସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟକୁ ଶନିବାର ପଠାଇଛନ୍ତି । ଶିଶୁକନ୍ୟାକୁ ପଦ୍ମପୁରରେ ଶବ ବ୍ୟବଚ୍ଛେଦ କରି ମୃତଦେହ ତାଙ୍କ ପିତା ଉପେନ୍ଦ୍ର ବରିହାଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅମାନୁଷିକ ଘଟଣା ପାଇକମାଲ ଅଞ୍ଚଳରେ ପ୍ରଥମ ହୋଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଦୁଃଖ ପ୍ରକାଶ କରାଯାଇଛି ।