ଖପ୍ରାଖୋଲ ବ୍ଲକ ଘୁନସର ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ପ୍ରଗତି ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ଜଣାପଡିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ହାଇସ୍କୁଲଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଚାଲିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମଧ୍ୟ ବାଦ ପଡିନି । ଏହି ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସମସ୍ତ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଖୋଲା ଖୋଲି ଭାବେ ନିୟମ ଉଲ୍ଲଂଘନ କରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ ରହିବ । ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସମାନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏଭଳି ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଅନ୍ତର୍ଗତ ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଲକ୍ଷ୍ୟ ଫେଲ ମାରିଥିବା ଦେଖାଯାଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ବ୍ଲକ ଅର୍ନ୍ତଗତ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରି ବିଦ୍ୟାଳୟ ଉନ୍ନତିକରଣ କାମ ଆରମ୍ଭ ହୋଇଥିଲା । କାମ ଆରମ୍ଭ କରାଗଲା ବେଳେ ୫ଟି କାମ ଠିକ୍‌ ରୂପେ ହେଉନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ବର୍ତ୍ତମାନ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯେ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତରୁ ବର୍ଷା ପାଣି ପଡୁଛି । ଶିକ୍ଷକମାନେ ବାରଣ୍ଡାରେ ବସୁଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟରେ ୫ଟି କାମ ବ୍ଲକ ପ୍ରଶାସନ ଅଧୀନରେ ରହି ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ହେବା କଥା କିନ୍ତୁ ଠିକାଦାର ମାଧ୍ୟମରେ କାମ ଚାଲିଛି । ଠିକାଦାର ଏବଂ ପ୍ରଶାସନ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାର ମନଇଛା କାମ କରୁଛନ୍ତି । ସ୍କୁଲର ପୁରାତନ ଛାତ୍ରଙ୍କୁ ପଚାରିବାରୁ ଜଣାପଡିଥିଲା ଯେ, ଗୋଟିଏ ମାସ ହେଲାଣି ଯନ୍ତ୍ରୀ ସୂର୍ଯ୍ୟଭାନୁ ମେହେର ସ୍କୁଲକୁ ଯାଇ ନାହାନ୍ତି କିନ୍ତୁ କାମ ଚଳାଇଛନ୍ତି ଦୁଇଜଣ ଠିକାଦାର ବସନ୍ତ କୁମାର ପଧାନ ଏବଂ ଚକ୍ରଧର ସାହୁ । ୫ଟି କାମରେ ବିଦ୍ୟାଳୟ ବାହାରେ ପାର୍କର ବ୍ୟବସ୍ଥା ଅଛି । କିନ୍ତୁ ପାର୍କ ପାଇଁ ଯାଗା ସଫାସୁତରା କରି କାମ ବନ୍ଦ କରିଦେଇଛନ୍ତି ଠିକାଦାର । ବିଦ୍ୟାଳୟର ଗୋଟିଏ କିମ୍ଵା ଦୁଇଟି କୋଠରିକୁ କାମ କରି ବାହାରେ ରଙ୍ଗବୋଲି ଦେଇ ଦୂର ରୁ ସୁନ୍ଦର ଦିଶୁଛି ଯେମିତି ଶିମିଳି ଗଛର ଫୁଲ ବୋଲି ଗ୍ରାମର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାସନକୁ ନିଜ ବିଦ୍ୟାଳୟର ଅସୁବିଧା ଓ ୫ଟି କାମ ଠିକ ରୂପେ ହେଉ ନଥିବାରୁ ଅବଗତ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଠିକାଦାର ୫ଟି କାମ ଯେମିତି କଲେ ମଧ୍ୟ ପିସି ଆଶାରେ ପ୍ରଶାସନ କାମ ଭଲ ହୋଇଅଛି ବୋଲି କହୁଛନ୍ତି ଏମିତି ଜନସାଧାରଣରେ ଚର୍ଚ୍ଚା ହେଉଛି । ୫ଟି କାମରେ ଟେବୁଲ ଚ୍ୟାର, ପଙ୍ଖା, କବାଟ, ଝରକା ନିକଟ ସ୍ଥାନୀୟ ବଜାରରୁ ସାମଗ୍ରୀ ଆଣି ଅଧିକା ଦାମର ରିସିଭ ଦାଖଲ କରି ୫ଟି କାମର ଟଙ୍କା ଉଠାଣ ହେଉଅଛି । ଏସବୁ କାମର ସଠିକ୍‌ ତଦାରଖ କରିବାକୁ ଏବଂ ସ୍କୁଲର ଉନ୍ନତିକରଣ କାର୍ଯ୍ୟ ଭଲ ଭାବରେ କରାଯାଉ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.