ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ପ୍ରସଙ୍ଗ : ମନ୍ଦିର ଉନ୍ନତିକରଣ କ୍ଷେତ୍ରରେ ମଧ୍ୟ ପଶ୍ଚିମ ଓଡିଶାକୁ ଅଣଦେଖା

ହରିଶଙ୍କର ଓ ନୃସିଂହନାଥର ବିକାଶ ପାଇଁ ପ୍ରଣୟନ ହେଉ ସ୍ୱତନ୍ତ୍ର ଆଇନ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପୀଠମାଙ୍କର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସେ ସବୁର ବିକାଶ, ରୀତି ନୀତି ଓ ଅନୁଦାନର ବ୍ୟବସ୍ଥା କରୁଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ସେ ସବୁର ଉନ୍ନତି ପାଇଁ କାର୍ୟ୍ୟକ୍ରମ ନିଆସରିଛି । କିନ୍ତୁ ପଶ୍ଚିମ ଓଡିଶାରେ ଥିବା ସର୍ବପୁରାତନ ହରିଶଙ୍କର ଓ ନୃସିଂହନାଥ ପୀଠକୁ ସରକାର ଅଣଦେଖା କରୁଛନ୍ତି କାହିଁକି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଶ୍ନ କରିଛନ୍ତି ।

ଏହି ବିବୃତ୍ତିରେ ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦିନ ଆଗରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରଜା, ତାରାତାରିଣୀ, ରାଧାମାଧବ ଓ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରି ଏହାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି । କିନ୍ତୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରସ୍ତାବରେ ପଶ୍ଚିମ ଓଡିଶାର ସର୍ବପୁରାତନ ପୀଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରକୁ ଭୁଲିଗଲେ କେମିତି ? ସେହିପରି ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପାଇଁ ରାଜକୋଷ ଖୋଲି ଦେଇଥିବା ବେଳେ ପଶ୍ଚିମ ଓଡିଶାରେ ଥିବା ଏହି ଐତିହାସିକ ଧାର୍ମିକ ପୀଠ ଦ୍ୱୟକୁ ଅଣଦେଖା କରି ପଶ୍ଚିମ ଓଡିଶା ପ୍ରତି ନିଜର ବୈମାତୃକ ମନୋଭାବର ପରିଚୟ ଦେଉଛନ୍ତି କି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ଦୃଢ ଐତିହାସିକ ଭିତ୍ତିଭୂମି ରହିଛି । ବହୁମୁଲ୍ୟ ଔଷଧୀୟ ବୃକ୍ଷରାଜୀ, ମୁଲ୍ୟବାନ ଖଣିଜ ପଥର ଭରା ଗନ୍ଧମା‌ର୍ଦ୍ଦନ ପର୍ବତମାଳାରେ ଏହି ଉଭୟ ମନ୍ଦିର ଅବସ୍ଥିତ । ଅନେକ ପର୍ବତାରୋହୀ ତଥା ପର୍ଯ୍ୟଟକ ପାହାଡ ଓ ଜଙ୍ଗଲ ପଥ ଦେଇ ଗୋଟିଏ ମନ୍ଦିରୁ ଅନ୍ୟ ମନ୍ଦିରକୁ ଚାଲିଚାଲି ଦୁଃସାହାସିକ ଯାତ୍ରା କରିଥାନ୍ତି । ଏଠାରେ ଥିବା ପ୍ରାକୃତିକ ଝରଣା, ପଶୁପକ୍ଷୀ, ଫଳମୁଳ ବର୍ଷ ତମାମ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରି ରଖିଥାଏ । ପ୍ରଖ୍ୟାତ ଐତିହାସିକ ମାନଙ୍କ ମତରେ ପ୍ରଥମ ଓଡିଆ ଶିଳାଲିପି ମଧ୍ୟ ଗନ୍ଧମା‌ର୍ଦ୍ଦନ ପର୍ବତରୁ ହିଁ ମିଳିଥିଲା । ବିଶ୍ୱ ପ୍ରସିଦ୍ଧ ପ୍ରଖ୍ୟାତ ପରିବ୍ରାଜକ ହୁଏନ୍‌ସାଂଙ୍କ ଭାରତ ପରିଭ୍ରମଣ ସମୟରେ ସେ ଏହି ପର୍ବତମାଳକୁ ଆସି ଏଠାରେ ଅବସ୍ଥିତ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ କଥା ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ । ତେଣୁ କେବଳ ଯେ ଏହି ଅଂଚଳରେ ଧାର୍ମିକ ମାନ୍ୟତା ରହିଛି, ତାହା ନୁହେଁ ଏହାର ପ୍ରଭୁ‌ତ୍ୱ ଐତିହାସିକ ପୃଷ୍ଟଭୁମି ମଧ୍ୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେଣୁ ରଜ୍ୟରେ ଯେତେବେଳ କୌଣସି ମନ୍ଦିରର ଉନ୍ନତିକରଣ ପାଇଁ ଅଧ୍ୟାଦେଶ ମାଧ୍ୟମରେ ଆଇନ ପ୍ରଣୟନ ହେଉଛି, ସେତେବେଳେ ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ଏହି ଉଭୟ ପିଠର ଉନ୍ନତି ପାଇଁ ମଧ୍ୟ ସରକର ଅଧ୍ୟାଦେଶ ଆଣନ୍ତୁ । ନହେଲେ ଏ ଅଂଚଳର ଲୋକଙ୍କ ଅଲଗା ରଜ୍ୟ ଦାବୀ ଅନ୍ଦୋଳନକୁ ସରକାରଙ୍କ ଏପରି ଅଣଦେଖା ଭରପୁର ଖୋରାକ ଯୋଗାଇବ । ତେଣୁ ସରକାର ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ବିକାଶ, ପରିଚାଲଣା ଓ ରାତିନୀତିର ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହ ଏହି ଉଭୟ ପୀଠର ସାମଗ୍ରିକ ବିକାଶ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.