oum

ଗତ ବର୍ଷ ବନ୍ୟାର ସହାୟତା ରାଶି ବଣ୍ଟନରେ ଅନିୟମିତତା : ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ହେଉଛି ଅଭିଯୋଗ

jsm

ଦେଓଗାଁ, (ମନିଷ କୁମାର ସାହୁ) : ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିବା ଘରର କ୍ଷତିପୂରଣ ଓ ଚାଷ ଜମି ନଷ୍ଟର କ୍ଷତିପୂରଣ ରାଜସ୍ୱ ବିଭାଗ ପକ୍ଷରୁ ପର୍ୟ୍ୟାୟକ୍ରମ ବଣ୍ଟନ କରାଯାଉଛି । ହେଲେ ୯୦ ଭାଗ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଏହା ପାଉ ନଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, କିଛି ଲୋକଙ୍କ ଚାଷ ଜମି ନଥିଲେ ମଧ୍ୟ ଧାନ ନଷ୍ଟ ହୋଇଥିବା ଦର୍ଶାଇ କ୍ଷତିପୂରଣ ପାଇଛନ୍ତି । ଅନ୍ୟପକ୍ଷରେ ଧାର କରଜ କରି ଚାଷ କରୁଥିବା ପ୍ରକୃତ ଚାଷୀ ତାହା ପାଉନାହାନ୍ତି । କାର୍ୟ୍ୟ ବ୍ୟସ୍ତତା ଓ କର୍ମଚାରୀ ଅଭାବରୁ ଉପଯୁକ୍ତ ଚାଷୀ ଚିହ୍ନଟ କରାଯାଇପାରୁ ନାହିଁ ବୋଲି ସଂପୃକ୍ତ ଆରଆଇମାନେ ସଫେଇ ଦେଉଛନ୍ତି । ତହସିଲ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫୫ଜଣଙ୍କୁ ୧ ଲକ୍ଷ ୫ହଜାର ୭୫୦ ଟଙ୍କା ଲେଖାଏଁ ଘର ନିର୍ମାଣ ବାବଦରେ ଦିଆଯାଇଛି । ୬୫୬ଜଣଙ୍କୁ ଆଂଶିକ କ୍ଷତି ବାବଦରେ ୩ହଜାର ୨ଶହ ଟଙ୍କା ଲେଖାଏଁ ଦିଆଯାଇଛି । ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ବାବଦରେ ମୋଟ ୫ଟି ଚେକରେ ୧୫୫ ଜଣଙ୍କୁ ୧ ଲକ୍ଷ ୫ହଜାର ୭୫୦ ହିସାବରେ ୧କୋଟି ୬୩ଲକ୍ଷ ୯୧ହଜାର ୨୫୦ ଓ ଆଂଶିକ କ୍ଷତି ହିସାବରେ ୧୧ଟି ଚେକରେ ୬୫୬ଜଣଙ୍କୁ ୩ହଜାର ୨ଶହ ହିସାବରେ ମୋଟ ୨୦ଲକ୍ଷ ୮୯ହଜାର ୬ଶହ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ବାବଦରେ ଦିଆଯାଇଥିବା ଟଙ୍କା ୯୦ ଭାଗ ଘର ତିଆରି କରି ନାହାନ୍ତି । ବ୍ଲକ୍ ଅଫିସ ତରଫରୁ ଦିଆଯାଇଥିବା ଆବାସ ଯୋଜନାରେ ଏହି ହିତାଧିକାରୀମାନେ ପୁଣି ଥରେ ଘର ନିର୍ମାଣ କରିବାକୁ କାର୍ୟ୍ୟାଦେଶ ନେଉଥିବାରୁ ଏହି ଟଙ୍କାକୁ ନେଇ ସନ୍ଦେହ ଆସିଛି । କିଛି ଦିନ ତଳେ ଦେଓଗାଁ ବ୍ଲକ ଉଡାର, ଗାଇବାହାଲ୍, କୁଲୁତାପଡ଼ା ପଞ୍ଚାୟତର ଅନେକ ବ୍ୟକ୍ତି ଏହି ଦୁଇଟି ସହାୟତା ପାଇଥିବା ନେଇ ଅଭିଯୋଗ ଆସିଥିଲା । ବ୍ଲକ୍ କର୍ତ୍ତୃପକ୍ଷ ମଧ୍ୟ ତନାଘନା କରୁଛନ୍ତି । ତହସିଲ ପକ୍ଷରୁ ଘର ନିର୍ମାଣ ପାଇଁ ସହାୟତା ଦିଆଯାଉଥିବା ବେଳେ ସତ ମିଛ ନାମ ଲେଖି ଓ ବାମ ଡାହାଣ ହସ୍ତଖତ କରି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି । ତେଣୁ ଏହାର ତଦନ୍ତ କରି କ୍ଷତିପୂରଣ ପାଇଥିବା ଲୋକଙ୍କୁ ଆବାସ ଯୋଜନାରୁ ବାଦ୍ ଦେବାକୁ ଆବାସ ଯୋଜନା ସହାୟତାର ଅପେକ୍ଷାରେ ଥିବା ହିତାଧିକାରୀମାନେ ଦାବୀ କରିଛନ୍ତି।

Leave A Reply

Your email address will not be published.